ଯାଜପୁରରେ ବନ୍ୟା ସ୍ଥିତିର ସମୀକ୍ଷା: ବିପନ୍ନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
୪୬,୫୦୦ ଲୋକ ସ୍ଥାନାନ୍ତର, ୮ ବ୍ଲକର ୨୪୨ ଗାଁ ପ୍ରଭାବିତ
ଯାଜପୁର: ଯାଜପୁର ଜିଲ୍ଲାରେ ଚଳିତ ବର୍ଷ ପୁଣି ଥରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ବୈତରଣୀ, ବୁଢା, କାଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବନ୍ୟାଜଳ ଯୋଗୁଁ ଜିଲ୍ଲାର ୮ଟି ବ୍ଲକ ଅଧୀନରେ ଥିବା ୨୪୨ଟି ଗାଁ ପ୍ରଭାବିତ ହୋଇଛି। ପ୍ରାୟ ୧ ଲକ୍ଷ ୬୮ ହଜାର ୬୫୨ ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୪୬ ହଜାର ୫୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ବନ୍ୟା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଯାଜପୁର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧର୍ମଶାଳା ବ୍ଲକ ସମେତ ଦଶରଥପୁର ବ୍ଲକର କସପା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଓ ଏହାର ଆଖପାଖ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବନ୍ୟା ବିପନ୍ନ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ଏଥିସହ ଚାଲିଥିବା ଉଦ୍ଧାର, ରିଲିଫ୍ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ।
ବନ୍ୟା ପରିସ୍ଥିତିର ମୁକାବିଲା ଓ ରିଲିଫ୍ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ବନ୍ୟା ପ୍ରଭାବିତ ପ୍ରତ୍ୟେକ ଲୋକଙ୍କୁ ଶୀଘ୍ର ସହାୟତା ଓ ସୁରକ୍ଷା ପ୍ରଦାନ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ସାଂସଦ ରବିନ୍ଦ୍ର ନାରାୟଣ ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ବନ୍ୟା ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ଗତିଶୀଳ କରାଯାଇଛି।
