*ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ )ଦ୍ବାରା ୨୦୨୬–୨୭ ବ୍ୟାଚ୍ ପ୍ରଶିକ୍ଷାର୍ଥୀଙ୍କ ପାଇଁ ସ୍ବାଗତ ସମାରୋହ ଆୟୋଜିତ*

ଭୁବନେଶ୍ବର, ଓଡ଼ିଶା – ଅକ୍ଟୋବର ୧, ୨୦୨୬: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ(ସିଡାକ୍) ଦ୍ବାରା ଭୁବନେଶ୍ବରସ୍ଥିତ ଓଡ଼ିଶା କଳା ଭୂମିର ଓପନ୍ ଏୟାର ଥିଏଟର ଠାରେ ୨୦୨୬–୨୭ ବର୍ଷର ନୂତନ ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏକ ସ୍ବାଗତ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ସହିତ ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ଟେରାକୋଟା, ଆପ୍ଲିକ୍ (ଚାନ୍ଦୁଆ), ପଥର ଖୋଦେଇ ଏବଂ କାଠ ଖୋଦେଇ ଭଳି ପ୍ରମୁଖ ହସ୍ତଶିଳ୍ପ ବିଭାଗରେ ୧୪୪ ଜଣ ପ୍ରଶିକ୍ଷାର୍ଥୀଙ୍କ ପାଇଁ ୧ ବର୍ଷିଆ ପ୍ରାରମ୍ଭିକ, ଉଚ୍ଚତର ଏବଂ ମାଷ୍ଟର ଲେଭଲ୍ ସ୍ପେଶାଲାଇଜ୍ଡ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମଟି ପୂର୍ବାହ୍ନ ୧୧:୩୦ ରେ ଅତିଥି ସ୍ବାଗତରୁ ଆରମ୍ଭ ହୋଇଥିଲା। ଏହାପରେ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ସହ ଆନୁଷ୍ଠାନିକ ଉଦ୍ଘାଟନ କରାଯାଇଥିଲା।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୂନମ୍ ତାପସ କୁମାର, ଆଇ.ଏ.ଏସ୍. ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ସେ ପ୍ରଶିକ୍ଷାର୍ଥୀମାନଙ୍କୁ ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଐତିହ୍ୟର ପ୍ରକୃତ ରାଷ୍ଟ୍ରଦୂତ ଭାବେ ଅଭିହିତ କରିବା ସହ କଞ୍ଚାମାଲରୁ ବଜାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ସେ ପ୍ରଶିକ୍ଷାର୍ଥୀମାନଙ୍କୁ ଓଡ଼ିଶାର ପାରମ୍ପରିକ ହସ୍ତକଳା ସାମଗ୍ରୀକୁ ରାଜ୍ୟ ବାହାରକୁ ନେଇ ଭବିଷ୍ୟତରେ ବ୍ୟାପକ ମଞ୍ଚରେ ଓଡ଼ିଶାର କଳା ନୈପୁଣ୍ୟର ପ୍ରତିନିଧିତ୍ବ କରିବାକୁ ଉତ୍ସାହିତ କରିଥିଲେ। ଏଥିସହ ସେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସେମାନଙ୍କର ଆଗାମୀ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ।
ଏହାପରେ ସିଡାକ୍ର ସଦସ୍ୟ ସଚିବ ଶ୍ରୀମତୀ ଚିନ୍ମୟୀ ବିଶ୍ବାଳ ଏବଂ ଓଡ଼ିଶା ହସ୍ତଶିଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ନିବେଦିତା ପୃଷ୍ଟି, ଆଇ.ଏ.ଏସ୍. ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍ବୋଧନ ଦେଇଥିଲେ।

କାର୍ଯ୍ୟକ୍ରମରେ FIEO ଓଡ଼ିଶା ଚାପ୍ଟରର ରାଜ୍ୟ ମୁଖ୍ୟ ଶ୍ରୀ କମଲ କାନ୍ତ ସାହୁ ଆନ୍ତର୍ଜାତୀୟ ବାଣିଜ୍ୟ ଓ ବିଶ୍ବ ବଜାରରେ ପହଞ୍ଚିବା ନେଇ ବୈଷୟିକ ଏବଂ ଶିଳ୍ପସଂକ୍ରାନ୍ତୀୟ ମାର୍ଗଦର୍ଶନ ପ୍ରଦାନ କରିଥିବା ବେଳେ, କାନାରା ବ୍ୟାଙ୍କର ମଣ୍ଡଳ ପ୍ରବନ୍ଧକ ଶ୍ରୀ ରଞ୍ଜିତ କୁମାର ସାହୁ ଯୁବ ଶିଳ୍ପୀମାନଙ୍କ ପାଇଁ ଆର୍ଥିକ ସାକ୍ଷରତା ଏବଂ ଋଣ ସୁବିଧା ବିଷୟରେ ଆଲୋକପାତ କରିଥିଲେ। ସଫଳ ଉଦ୍ୟୋଗୀ ଶ୍ରୀମତୀ ଉଷସୀ ରଥ (ଗୋଲ୍ଡେନ୍ ଗ୍ରାସ୍), ଶ୍ରୀ ଅଜିତ୍ ରାୟ (ସବାଇ ଘାସ) ଏବଂ ଶ୍ରୀ ସମୀର କୁମାର ରାଉତ (ପଟ୍ଟଚିତ୍ର) ବ୍ୟାବସାୟିକ ଅନୁଭୂତି ଓ ଜ୍ଞାନ ବାଣ୍ଟିବା ପାଇଁ ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ୪୩ ଜଣ ପ୍ରଶିକ୍ଷାର୍ଥୀଙ୍କୁ ସେମାନଙ୍କର ବ୍ୟାବହାରିକ ପାଠ୍ୟକ୍ରମ ପାଇଁ କଞ୍ଚାମାଲ ଏବଂ ଟୁଲ୍ କିଟ୍ ବଣ୍ଟନ କରାଯାଇଥିଲା। ପ୍ରଶିକ୍ଷାର୍ଥୀ କୁମାରୀ ସୁଜ୍ଞାନୀ ଭଟ୍ଟଙ୍କ ଧନ୍ୟବାଦ ଅର୍ପଣ ସହ ସମାରୋହ ସମାପ୍ତ ହୋଇଥିଲା।
ସିଡାକ୍ (SIDAC) ବିଷୟରେ:
ସିଡାକ୍ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟ କରେ। ଏହା ରାଜ୍ୟର ପାରମ୍ପରିକ ହସ୍ତଶିଳ୍ପ କ୍ଷେତ୍ରରେ ଦକ୍ଷତା ପ୍ରଶିକ୍ଷଣ ଏବଂ ପ୍ରସାରମୂଳକ ବିକାଶ ପାଇଁ ସମର୍ପିତ ।

