ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ ଓ ଏକତା ପଦଯାତ୍ରା
ଅନୁଗୋଳ, ତା. ୩୧.୧୦:- ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକତା ପଦଯାତ୍ରା ଓ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ସହ ନିଜକୁ ଦେଶ ପ୍ରତି ସମର୍ପିତ କରିବା ଏବଂ ଦେଶର ଏକତା ଅକ୍ଷୁର୍ଣ୍ଣ ରଖିବା ସହ ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ନେଇ ଏହି ଶପଥ ପାଠ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ।

ସେହିପରି ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ଅନୁଗୋଳ ଷ୍ଟାଡିୟମ୍ ଠାରୁ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡ଼ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା ଏବଂ ଅନ୍ୟାନ୍ୟ ଅତିଥି ବୃନ୍ଦ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, କ୍ରୀଡ଼ାବିତ୍ ଓ ବୁଦ୍ଧିଜୀବୀ ଯୋଗ ଦେଇ ଅଖଣ୍ଡ ଭାରତର ଭାବନାକୁ ଉତ୍ସାହର ସହ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଂ ପରିଚାଳନା କରିଥିଲେ।

