Spread the love

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନରେ ଥିବା ଅନନ୍ତପୁର ଆଉଟ୍‌ପୋଷ୍ଟର ଏଏସଆଇ ହୃଶିକେଷ ବିଶ୍ୱାଳ। ସେପ୍ଟେମ୍ବର ୭ ତାରିଖରେ ଏକ ଦୁର୍ଘଟଣା ମାମଲାରେ ଏଏସଆଇ ହୃଷିକେଶ ବିଶ୍ୱାଳ ଗୋଟିଏ ବାଇକ ଜବତ କରିଥିଲେ। ଉକ୍ତ ବାଇକ୍‌କୁ ଛାଡ଼ିଦେବା ପାଇଁ ତା’ର ମାଲିକ ତାଙ୍କୁ ଅନୁରୋଧ କରିଥିଲେ।

ହେଲେ ବାଇକ୍‌ ଛାଡ଼ିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଶ୍ରୀ ବିଶ୍ୱାଳ। ଏତେ ଟଙ୍କା ଦେବାକୁ ସେ ସକ୍ଷମ ନୁହନ୍ତି ବୋଲି ବାଇକ୍ ମାଲିକ ତାଙ୍କୁ କହିଥିଲେ। ଏହା ପରେ ଶ୍ରୀ ବିଶ୍ୱାଳ ଲାଞ୍ଚ ଅର୍ଥକୁ ୮ ହଜାରକୁ ହ୍ରାସ କରିଥିଲେ। ୮ ହଜାର ଦେଇ ବାଇକ ନେଇଯିବାକୁ ସେ ବାଇକ୍ ମାଲିକଙ୍କୁ କହିଥିଲେ।

ଅନ୍ୟକୌଣସି ଉପାୟ ନପାଇ ବାଇକ ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ପ୍ରକାରେ ଆଜି ସେ ଏଏସ୍‌ଆଇ ଶ୍ରୀ ବିଶ୍ୱାଳଙ୍କୁ ଭେଟି ୮ ହଜାର ଟଙ୍କା ଦେଇଥିଲେ। ଶ୍ରୀ ବିଶ୍ୱାଳ ୮ ହଜାର ଟଙ୍କା ଗ୍ରହଣ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍‌ଆଇ ଶ୍ରୀ ବିଶ୍ୱାଳଙ୍କ ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି। ସେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

Leave a Reply

Your email address will not be published. Required fields are marked *