Spread the love

ଶିକ୍ଷା ଓ ପୋଷଣର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ‘ପ୍ରୟାସ’ ବୈଠକ: ଗଣିତ ଶିକ୍ଷା ଓ ଅଙ୍ଗନବାଡ଼ି ସେବା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

​ଭୁବନେଶ୍ୱର, ୨୭/୧୧: ରାଜ୍ୟର ଶିଶୁମାନଙ୍କ ସର୍ବାଙ୍ଗୀଣ ବିକାଶ ତଥା ଶିକ୍ଷା ଓ ପୋଷଣ ସେବାକୁ ଅଧିକ ଜନକେନ୍ଦ୍ରିକ କରିବା ଉଦ୍ଦେଶ୍ୟରେ ଲୋକସେବା ଭବନଠାରେ ‘ପ୍ରୟାସ’ (ସାମାଜିକ କ୍ଷେତ୍ରର ଉନ୍ନତି ପାଇଁ ପ୍ରଗତିଶୀଳ ଶାସନ ପ୍ରୟାସ) ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ତଥ୍ୟଭିତ୍ତିକ ମୂଲ୍ୟାଙ୍କନ ଓ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।
​ବୈଠକର ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରୁ ଅକ୍ଟୋବର ୨୦୨୬ ମଧ୍ୟରେ ‘ଶିକ୍ଷଣ ସୋପାନ’ ମାଧ୍ୟମରେ ହୋଇଥିବା ଆକଳନରେ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କ ପଠନ ଓ ଲେଖନ ଦକ୍ଷତାରେ ଉନ୍ନତି ପରିଲକ୍ଷିତ ହୋଇଛି। ଦ୍ୱିତୀୟ ଶ୍ରେଣୀରେ ସଂଖ୍ୟାଜ୍ଞାନ ବଢ଼ିଥିବା ବେଳେ, ପ୍ରଥମ ଓ ତୃତୀୟ ଶ୍ରେଣୀରେ ଗଣିତ ସମସ୍ୟାର ସମାଧାନ ଉପରେ ଅଧିକ ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନା, ଶିକ୍ଷକଙ୍କୁ ଶିକ୍ଷଣ କିଟ୍ ଯୋଗାଣ ଏବଂ ନିୟମିତ ଶ୍ରେଣୀକକ୍ଷ ପରିଦର୍ଶନ କରିବାକୁ କୁହାଯାଇଛି।
​ସେହିପରି ପୋଷଣ କ୍ଷେତ୍ରରେ ମେ’ରୁ ଅକ୍ଟୋବର ମଧ୍ୟରେ ୩୦ଟି ଜିଲ୍ଲାର ୨୫୫୭ଟି ଅଙ୍ଗନବାଡ଼ି କେନ୍ଦ୍ରର ସମୀକ୍ଷା କରାଯାଇଛି। ଅକ୍ଟୋବର ମାସରେ ୯୪,୫୭୪ ଜଣ ଶିଶୁଙ୍କ ଓଜନ ଓ ପୋଷଣ ମାପ ନିଆଯାଇଥିବା ବେଳେ ଗୁରୁତର ପୁଷ୍ଟିହୀନତା ହ୍ରାସ ପାଇଥିବା ଜଣାପଡ଼ିଛି। ପୋଷଣ ଅଭାବ ଥିବା ଶିଶୁଙ୍କୁ ଚିହ୍ନଟ କରି ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ରଖି ଉଚ୍ଚତର ଚିକିତ୍ସା ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *

You missed