Spread the love

ସଞ୍ଚୟ ପକ୍ଷ ପାଳନ ଅବସରରେ ବରିଷ୍ଠ ନାଗରିକ ଓ ପେନ୍‌ସନ ଭୋଗୀଙ୍କ ନିମନ୍ତେ ସ୍ୱତନ୍ତ୍ର ଆର୍ଥିକ ଶିବିର ଅନୁଷ୍ଠିତ

ଢେଙ୍କାନାଳ, ତା.୧.୧୧.୨୦୨୫- ରାଜ୍ୟରେ ତା. ୩୧.୧୦.୨୦୨୫ ରୁ ୧୪.୧୧.୨୦୨୫ ପର୍ଯ୍ୟନ୍ତ ସଞ୍ଚୟ ପକ୍ଷ ପାଳନ କରାଯାଉଅଛି । ଏହି ଉପଲକ୍ଷେ ଆଜି ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଏବଂ ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ, ଅର୍ଥ ବିଭାଗର ମିଳିତ ସହଯୋଗରେ ଜିଲ୍ଲା କାର୍ଯ୍ୟାଳୟ ସହଭାବନା ସଭାଗୃହ ଠାରେ ବରିଷ୍ଠ ନାଗରିକ ଓ ପେନ୍‌ସନ ଭୋଗୀ ମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଆର୍ଥିକ ସ୍ଵାକ୍ଷରତା ଶିବିର ଅନୁଷ୍ଠିତ ହୋଇଅଛି । ପ୍ରାରମ୍ଭରେ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ, ଢ଼େଙ୍କାନାଳର ସହ-ନିର୍ଦ୍ଦେଶକ ଶ୍ରୀମତୀ ପ୍ରଜ୍ଞା ମିଶ୍ର ସମସ୍ତଙ୍କୁ ସ୍ୱାଗତ କରି, ଡ଼ାକଘରେ ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କରେ ବରିଷ୍ଠ ନାଗରିକ ଓ ପେନ୍‌ସନ ଭୋଗୀ ମାନେ ନିଜର ଲବ୍ଧ ଅର୍ଥରାଶିକୁ ଜମା ରଖିଲେ ନିଜର ଜମାରାଶି ସୁରକ୍ଷିତ ରହିବ ବୋଲି କରିଥିଲେ । କୌଣସି ପ୍ରକାରର ଠକେଇ ଠାରୁ ସୁରକ୍ଷିତ ରହିବା ସହିତ ଅଧିକ ସୁଧରାଶି ପାଇ ପାରିବେ ବୋଲି ଜଣାଇଥିଲେ। ଡ଼ି.ଏସ. ପି. ଶ୍ରୀମତୀ ସଂଧ୍ୟାରାଣୀ ବେଉରା, ସାଇବର ଠକମାନେ କିଭିଳି ଉପାୟରେ ଅର୍ଥ ହଡ଼ପ କରୁଛନ୍ତି, ସେ ସଂପର୍କରେ ସୂଚ଼ନା ଦେଇ ସଚେତନ କରାଇଥିଲେ । ଇଣ୍ଟରନେଟ ବ୍ୟବହାର ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ସିନିୟର ପୋଷ୍ଟମାଷ୍ଟର ଶ୍ରୀ ସତ୍ୟବାଦୀ ଦାଶ, ପୋଷ୍ଟ ଅଫିସରେ ଅର୍ଥ ରାଶି ଜମା କଲେ ଅଧିକ ଆୟ ହେବ, ନିଜର ଅର୍ଥ ସୁରକ୍ଷିତ ରହିବା ସହ ଦେଶର ଆର୍ଥିକ ସ୍ଥିତି ଅଧିକ ମଜବୁତ ହେବ ବୋଲି ମତବ୍ୟକ୍ତ କରିଥିଲେ। ପୋଷ୍ଟ ଅଫିସର ଟ୍ରେନର ଶ୍ରୀ ଦୀପକ ଲେଙ୍କା ପୋଷ୍ଟ ଅଫିସରେ ଜମା ସଂପର୍କିତ ସମସ୍ତ ପ୍ରକାରର ଅଧିକ ଲାଭଦାୟକ ସ୍ମିମ ସଂପର୍କରେ ବୁଝାଇ କହିଥିଲେ। ଘରେ ବସି ନିଜର ମୋବାଇଲ ଦ୍ୱାରା କିପରି ବିଭିନ୍ନ ସ୍ମିମ୍ ରେ ଅର୍ଥ ଲଗାଣ ଓ ଉଠାଣ କରି ଲାଭାନ୍ୱିତ ହୋଇପାରିବେ, ସେ ସଂପର୍କରେ ବିଷଦଭାବେ ବର୍ଣ୍ଣନା କରିଥିଲେ। ଏହି ବୈଠକରେ ଢ଼େଙ୍କାନାଳ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ପ୍ରହ୍ଲାଦ ତ୍ରିପାଠୀ, ସାଧାରଣ ସମ୍ପାଦକ ଶ୍ରୀ କୃଷ୍ଣ ମୋହନ ସାହୁଙ୍କ ସମେତ ବରିଷ୍ଠ ନାଗରିକଗଣ ଓ ପେନ୍‌ସନ୍ ଭୋଗୀ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *