Spread the love

ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ

ଢ଼େଙ୍କାନାଳ, ତା. ୦୨.୦୭.୨୦୨୫- ଆଜି ଅପରାହ୍ନରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲଠାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେଷଣ ୟୁନିଟ, ଢ଼େଙ୍କାନାଳ ପକ୍ଷରୁ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ମୁଖ୍ୟଅତିଥି ଭାବେ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ, ଯେତେ ବେଳେ କଙ୍କଡ଼ା ହାଡ଼ ବ୍ଲକ୍ ଭଳି ଅଂଚ଼ଳର ସାମଗ୍ରିକ ବିକାଶ ହେବ ସେତେ ବେଳେ ଯାଇ ଜିଲ୍ଲା ତଥା ରାଜ୍ୟ ବିକଶିତ ହୋଇପାରିବ ବୋଲି ମତ ବ୍ୟକ୍ତ କରିଛନ୍ତି। ୨୦୩୬ ସୁଦ୍ଧା ରାଜ୍ୟକୁ ଏକ ବିକଶିତ ରାଜ୍ୟ ଭାବେ ପରିଗଣିତ କରିବାକୁ ଲକ୍ଷ୍ୟ ରଖାଯାଇ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବୃଦ୍ଧି, ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଧାନ୍ୟ ଦିଆଯାଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସେ କହିଛନ୍ତି । ଜିଲ୍ଲାକୁ ବିଭିନ୍ନ ଶିଳ୍ପ ସଂସ୍ଥାମାନଙ୍କର ଆଗମନ ଯୋଗୁଁ ଜିଲ୍ଲାରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ସାମଗ୍ରୀକ ଅର୍ଥନୈତିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ସମ୍ମାନିତ ଅତିଥି ଭାବେ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ତଥା ଶିଳ୍ପ, ଦକ୍ଷତା ବିକାଶ ଓ କାରିଗରୀ ବିଦ୍ୟା ବିଭାଗର ମନ୍ତ୍ରୀ ଶ୍ରୀ ଯୁକ୍ତ ସଂପଦ ସ୍ୱାଇଁ ଯୋଗ ଦେଇ, ଢେଙ୍କାନାଳ ଜିଲ୍ଲା ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମରେ ୬ଟି ସୂଚ଼କ ମଧ୍ୟରୁ ୪ଟି ସୂଚ଼କରେ ସଫଳତା ହାସଲ କରି ବ୍ରୋଞ୍ ମେଡ଼ାଲ ପାଇଥିବା ବେଳେ କଙ୍କଡ଼ା ହାଡ଼ ବ୍ଳକ୍ ୬ଟିରୁ ୩ଟି ସୂଚ଼କରେ ସଫଳହୋଇଥିବାରୁ କପର ମେଡ଼ାଲ ପାଇଥିବାରୁ ସେ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ଳକ୍ ସ୍ତରୀୟ ଅଧିକାରୀ ଓ କର୍ମୀମାନଙ୍କୁ ସାଧୁବାଦ ଜଣାଇଥିଲେ । ନିୟମିତ ଭାବେ ଶତ ପ୍ରତିଶତ ଗର୍ଭବତୀ ମହିଳାଙ୍କ ପୁଷ୍ଟିସାର ଗ୍ରହଣ, ପିଲାମାନଙ୍କର ସଂପୂର୍ଣ୍ଣ ଟୀକାକରଣ, ମାଧ୍ୟମିକ ସ୍ତରରେ ସମସ୍ତ ସ୍କୁଲରେ ବିଦ୍ୟୁତ ସୁବିଧା, ଏବଂ ସମୟ ମଧ୍ୟରେ ପିଲାମାନଙ୍କୁ ପାଠ୍ୟ ପୁସ୍ତକ ଯୋଗାଣ ଯୋଗୁଁ ଜିଲ୍ଲା ରାଜ୍ୟ ସ୍ତରୀୟ କାର୍ଯକ୍ରମ ରେ ବ୍ରୋଞ ମେଡ଼ାଲ ପାଇପାରିଛି ବୋଲି କହିଥିଲେ । ସେହିପରି ଅନ୍ୟ ୩ଟି ସୂଚ଼କରେ କଙ୍କଡ଼ାହାଡ଼ ବ୍ଳକ୍ସଫଳତା ହାସଲ କରିଥିବା ଥିବା ସେ ପ୍ରକାଶ କରିଥିଲେ । ଉତ୍ସବରେ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, କାମାକ୍ଷା ନଗରର ମାନ୍ୟବର ବିଧାୟକ ଶ୍ରୀ ଶତୃଘ୍ନ ଜେନା, ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ ଏବଂ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ଯୋଗ ଦେଇଥିଲେ । ଜିଲ୍ଲା ତଥା ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସମସ୍ତେ ସଚେତନ ହୋଇ ସହଯୋଗ କରିବା ପାଇଁ ଆହ୍ବାନ ଦେଇଥିଲେ । ସମାରୋହରେ ଅତିଥି ମାନେ ଆକାଂକ୍ଷା ଜିଲ୍ଲା ଭାବେ ସଫଳତା ହାସଲ କରିଥିବା ଯୋଗୁଁ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତି ରଂଜନ ସେଠୀ ସ୍ୱାଗତ ଭାଷଣ ଦେଇଥିଲେ । ଶ୍ରୀ ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ଶେଷରେ ଡ଼ି.ପି.ଏମ.ୟୁ. ର ଡେପୁଟୀ ଡ଼ାଇରେକ୍ଟର ଶ୍ରୀ ମନୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *