Spread the love

ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ ମୁକାବିଲା ପାଇଁ ସମସ୍ତ ଜିଲ୍ଲାକୁ ସତର୍କ ଓ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୬ : ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିସ୍ଥିତି ସମୟରେ ଯେପରି ସ୍ୱାସ୍ଥ୍ୟସେବା ବ୍ୟାହତ ନ ହୁଏ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି ।
ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଏସ୍.ଏନ୍. ଗିରିଶ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପ୍ରସ୍ତୁତିକୁ ସୁଦୃଢ଼ କରିବା ସହ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ଓ ବ୍ଲକ୍ ସ୍ତରରେ ନୋଡାଲ୍ ଅଧିକାରୀ ନିଯୁକ୍ତ କରିବା ଏବଂ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରଖିବା ସହ ଆବଶ୍ୟକ କର୍ମଚାରୀ ଓ ଯୋଗାଯୋଗ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ରହିଛି । ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକର ନିରବଚ୍ଛିନ୍ନ ସେବା ସହ କାର୍ଯ୍ୟକ୍ଷମ ଡିଜି ସେଟ୍, ଇନଭର୍ଟର, ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା, ଇନ୍ଧନ, ପାଣି ଓ ଯୋଗାଯୋଗ ବ୍ୟବସ୍ଥା ମହଜୁଦ ରଖିବାକୁ କୁହାଯାଇଛି । ଏଥିସହ ଆବଶ୍ୟକ ପରିମାଣର ଇନ୍ଧନ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ବିକଳ୍ପ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବାତ୍ୟା ପ୍ରଭାବିତ ତଥା ଯୋଗାଯୋଗ ବିଚ୍ଛିନ୍ନ ଓ ତଳିଆ ଅଞ୍ଚଳଗୁଡ଼ିକରେ ଯଥାଶୀଘ୍ର ମେଡିକାଲ୍ ରିଲିଫ୍ ସେଣ୍ଟର ଖୋଲିବା ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗ ପରାମର୍ଶ ଦେଇଛି । ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଦୁର୍ଘଟଣାଜନିତ ଆହତଙ୍କ ଚିକିତ୍ସା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଗର୍ଭବତୀ ମହିଳାମାନଙ୍କୁ ଆଭ୍ୟନ୍ତରୀଣ ଅଞ୍ଚଳରୁ ନିର୍ଦ୍ଧାରିତ ପ୍ରସବ କେନ୍ଦ୍ର କିମ୍ବା ମା’ ଗୃହକୁ ସ୍ଥାନାନ୍ତର କରିବା ପାଇଁ ଆଗୁଆ ଯୋଜନା କରିବାକୁ କୁହାଯାଇଛି। ଏଥିସହ ବିପଦପ୍ରବଣ ଭୌଗୋଳିକ ଅଞ୍ଚଳ, ସ୍ୱାସ୍ଥ୍ୟକେନ୍ଦ୍ର, ଟିକାକରଣ କେନ୍ଦ୍ର ଓ ମା’ ଗୃହଗୁଡ଼ିକୁ ଚିହ୍ନଟ କରି ସେଠାରେ ବିଶେଷ ପ୍ରସ୍ତୁତି ରଖିବାକୁ ନିର୍ଦ୍ଦେଶ ରହିଛି।
ଜିଲ୍ଲା ଓ ବ୍ଲକ୍ ସ୍ତରରେ ଆମ୍ବୁଲାନ୍ସ ଏବଂ ରୋଗୀ ସ୍ଥାନାନ୍ତରଣ ସେବାର ସମନ୍ୱୟ ରକ୍ଷା କରିବା ସହ ଜଳବାହିତ, ଭେକ୍ଟରବାହିତ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କୁହାଯାଇଛି। ବାତ୍ୟା ଓ ବନ୍ୟା ପରିସ୍ଥିତି ସମୟରେ ଏବଂ ପରବର୍ତ୍ତୀ ସମୟରେ ଦୈନିକ ରୋଗ ସମ୍ପର୍କିତ ରିପୋର୍ଟ ପ୍ରଦାନ ସୁନିଶ୍ଚିତ କରାଯିବ।
ସମସ୍ତ ସ୍ତରର ଡାକ୍ତରଖାନାଗୁଡ଼ିକରେ ଜ୍ୱର ନିରୋଧକ ଔଷଧ, ଆଣ୍ଟିବାୟୋଟିକ୍, ଝାଡ଼ା ନିରୋଧକ ଔଷଧ, ଓଆର୍‌ଏସ୍, ହାଲାଜୋନ୍/କ୍ଲୋରିନ୍ ଟାବଲେଟ୍, ସାପ କାମୁଡ଼ା ପ୍ରତିଷେଧକ ଔଷଧ, ଆଇଭି ଫ୍ଲୁଇଡ୍ ଓ ଅନ୍ୟାନ୍ୟ ଜରୁରୀ ଔଷଧ ତଥା ଉପକରଣ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମୋବାଇଲ୍ ହେଲ୍‌ଥ ୟୁନିଟ୍ (MHU), ମୋବାଇଲ୍ ହେଲ୍‌ଥ ଟିମ୍ (MHT) ଏବଂ ଜିଲ୍ଲା/ବ୍ଲକ୍ ରାପିଡ୍ ରେସପନ୍ସ ଟିମ୍ (RRT)ଗୁଡ଼ିକୁ ଆବଶ୍ୟକ ସ୍ଥଳେ ପ୍ରଭାବିତ ଓ ଅପହଞ୍ଚ ଅଞ୍ଚଳରେ ତୁରନ୍ତ ନିୟୋଜିତ ହେବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସରକାରୀ ଓ ଘରୋଇ ହସ୍ପିଟାଲ୍‌ଗୁଡ଼ିକରେ ଜରୁରୀକାଳୀନ ଯନ୍ତ୍ରପାତି ଓ ମେସିନ୍‌ଗୁଡ଼ିକର କାର୍ଯ୍ୟକ୍ଷମତା ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ବାତ୍ୟାପ୍ରବଣ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନ କିମ୍ବା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବାର ସମ୍ଭାବନା ଥିବାରୁ ପ୍ରଭାବିତ ଜିଲ୍ଲାର ପ୍ରମୁଖ ଡାକ୍ତରଖାନାଗୁଡ଼ିକରେ ସାଟେଲାଇଟ୍ ଫୋନ୍ କିମ୍ବା ହାମ୍ ରେଡିଓ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ପରାମର୍ଶ ଦିଆଯାଇଛି ।
ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଚିହ୍ନଟ କରିବା ସହ ଭୂତଳ କିମ୍ବା ତଳ ମହଲାରେ ରଖାଯାଇଥିବା ଔଷଧ ଓ ଚିକିତ୍ସା ସାମଗ୍ରୀଗୁଡ଼ିକୁ ଉଚ୍ଚ ସ୍ଥାନ କିମ୍ବା ସୁରକ୍ଷିତ କୋଠାକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି ।
ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସମୟରେ ସଂକ୍ରାମକ ରୋଗର ପ୍ରକୋପ ରୋକିବା ପାଇଁ ସୁରକ୍ଷିତ ପାନୀୟ ଜଳ ଯୋଗାଣ, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା , ପ୍ରଭାବିତ ଅଞ୍ଚଳର ବିଶୋଧନ, ଜଳ ଉତ୍ସଗୁଡ଼ିକରେ କ୍ଲୋରିନେସନ୍ ଏବଂ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି ।
ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଜରୁରୀକାଳୀନ ଚିକିତ୍ସା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା, ଟିକାକରଣ, ଅତ୍ୟାବଶ୍ୟକ ଔଷଧ ଯୋଗାଣ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ବାତ୍ୟା ଓ ବନ୍ୟା ସମୟରେ ଏବଂ ତା’ ପରବର୍ତ୍ତୀ ସମୟରେ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଓ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସମସ୍ତ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତତ୍ପରତାର ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

You missed