‘୨୦କ ପଣିକିଆରେ ବୃଦ୍ଧାଶ୍ରମ’ ଭିଡ଼ିଓ ଉନ୍ମୋଚନ କଲେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ
ଭୁବନେଶ୍ୱର ୧୬.୧୦.୨୨୬-
ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ‘୨୦କ ପଣିକିଆରେ ବୃଦ୍ଧାଶ୍ରମ’ ଶୀର୍ଷକ ଏକ ସଚେତନତାଧର୍ମୀ ଭିଡ଼ିଓ ଉନ୍ମୋଚନ କରିଛନ୍ତି I ପଣିକିଆ ମାଧ୍ୟମରେ ସମାଜକୁ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ମାନ, ସ୍ନେହ ଓ ଯତ୍ନ ସହିତ ପିଲାମାନଙ୍କ କର୍ତ୍ତବ୍ୟବୋଧର ବାର୍ତ୍ତା ଦେବାର ପ୍ରୟାସ ପ୍ରଶଂସନୀୟ I ପିଏମ୍ଶ୍ରୀ ରାଧାମୋହନ ଜିଉ ନୋଡାଲ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଶୃତି ସୁଲଗ୍ନା ଓ ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରୀତିସୁଲଗ୍ନାଙ୍କ ଏହି ଭିଡ଼ିଓ ବୟୋଜ୍ୟେଷ୍ଠମାନଙ୍କ ପ୍ରତି ଆମ ଦାୟିତ୍ୱବୋଧରର ଏକ ବୃହତ ଉଦାହରଣ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।
ଆଜି ସରକାରୀ ବାସଭବନରେ ଗୀତିକାର ଡ. ସନାତନ ପଣ୍ଡାଙ୍କ ଦ୍ୱାରା ରଚିତ ଏହି ଭିଡିଓର ଉନ୍ମୋଚନ କରିବା ସହ ଭିଡ଼ିଓର ସ୍ରଷ୍ଟା ଦୁଇ ଭଉଣୀ ଏବଂ ଏହି ଭିଡ଼ିଓ ପ୍ରସ୍ତୁତି ସହ ଜଡ଼ିତ ସମସ୍ତ କଳାକାର, ଗୀତିକାର ଓ ଅଭିଭାବକଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଭିନନ୍ଦନ ଜଣାଇଛନ୍ତି I କିଶୋର ଓ ଶିଶୁ କଳାକାରମାନଙ୍କ ମନୋମୁଗ୍ଧକର ପରିବେଷଣ କଳା, ସଂସ୍କୃତି ଓ ସମାଜ ପ୍ରତି ସେମାନଙ୍କ ଚିନ୍ତାଧାରା ଓ ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିବା ସହ ଏପରି ମନୋଭାବ ଭବିଷ୍ୟତର ନାଗରିକ ସଂସ୍କୃତି ନିର୍ମାଣରେ ନିଶ୍ଚିତ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଶାପ୍ରକାଶ କରିଛନ୍ତି ।
