JAGRAT BHARAT NEWS | ଭୁବନେଶ୍ୱର
### ୩ ଲକ୍ଷ ଟଙ୍କା ଲାଞ୍ଚ କାରବାର! CBI ଜାଲରେ ୩ CGST ଅଧିକାରୀ, ଭୁବନେଶ୍ୱରରେ ଚଢ଼ାଉ ପରେ ଗିରଫ
ଭୁବନେଶ୍ୱରରେ ଲାଞ୍ଚ କାରବାରକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)ର ବଡ଼ କାର୍ଯ୍ୟାନୁଷ୍ଠାନ। ୩ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ଅଭିଯୋଗରେ ତିନି ଜଣ CGST ଅଧିକାରୀଙ୍କୁ CBI ଗିରଫ କରିଛି। ଏହି ଘଟଣା ରାଜଧାନୀରେ ସରକାରୀ ବିଭାଗର ଦୁର୍ନୀତିକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱରର CGST ବିଭାଗରେ କାର୍ଯ୍ୟରତ ତିନି ଜଣ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ GST ଫାଙ୍କିବା କାର୍ଯ୍ୟରେ ସହଯୋଗ କରିବା ନାଁରେ ଲାଞ୍ଚ ଦାବି କରିଥିବା ଅଭିଯୋଗ ଆସିଥିଲା। ଏଥିପାଇଁ ପ୍ରଥମେ ୪ ଲକ୍ଷ ଟଙ୍କା ଦାବି କରାଯାଇଥିବା ବେଳେ ପରବର୍ତ୍ତୀ ଆଲୋଚନାରେ ୩ ଲକ୍ଷ ଟଙ୍କାରେ ଲାଞ୍ଚ କାରବାର ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି।
ଏହି ଲାଞ୍ଚ କାରବାର ସମ୍ପର୍କରେ ଖବର ପାଇ CBI ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା। ଅଭିଯୁକ୍ତ ଅଧିକାରୀମାନେ ୩ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ସମୟରେ CBI ଟିମ୍ ଅଚାନକ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା।
ଗିରଫ ପରେ ତିନି ଅଧିକାରୀଙ୍କୁ ଜେରା କରାଯାଉଥିବା ସହ ଏହି ଲାଞ୍ଚ କାରବାରର ଅନ୍ୟ କୌଣସି ଦିଗ ରହିଛି କି ନାହିଁ, ତାହା ଜାଣିବା ପାଇଁ CBI ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନ ଜାରି ରହିଛି।
ଲାଞ୍ଚ ମାମଲାରେ CBIର ଏହି କାର୍ଯ୍ୟାନୁଷ୍ଠାନ ସରକାରୀ ଅଫିସରେ ଦୁର୍ନୀତି ବିରୋଧୀ ତଦନ୍ତକୁ ନେଇ ପୁଣି ଚର୍ଚ୍ଚା ଜୋରଦାର କରିଛି।
