Spread the love

ଚୀନ୍‌ର ଗୁଇନ୍ଦା ନେଟୱାର୍କ ସହ ସମ୍ପର୍କ ସନ୍ଦେହ: ସେନା ଅଧିକାରୀଙ୍କ ପତ୍ନୀଙ୍କ ବିରୋଧରେ ମାମଲା

ଜମ୍ମୁରେ ଜାତୀୟ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଲା, ଗବେଷଣା ଓ ଲେଖା ପ୍ରକାଶନର ପ୍ରଲୋଭନ ଦେଇ ଯୋଗାଯୋଗ କରିଥିବା ସନ୍ଦେହ

ନୂଆଦିଲ୍ଲୀ: ଜମ୍ମୁରେ ଜାତୀୟ ସୁରକ୍ଷା ସହ ଜଡ଼ିତ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଚୀନ୍‌ର ଏକ ସନ୍ଦିଗ୍ଧ ନେଟୱାର୍କ ସହ ଯୋଗାଯୋଗ ରଖି ସେନା ସମ୍ପର୍କିତ ଗୁପ୍ତ ତଥ୍ୟ ଆଦାନପ୍ରଦାନ କରିଥିବା ଅଭିଯୋଗରେ ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ପତ୍ନୀଙ୍କ ବିରୋଧରେ ଜମ୍ମୁ-କାଶ୍ମୀର ପୋଲିସ ମାମଲା ରୁଜୁ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।

ସୂଚନା ଅନୁଯାୟୀ, ମହିଳାଙ୍କ ସହ ଚୀନ୍‌ର ସନ୍ଦିଗ୍ଧ ଏଜେଣ୍ଟମାନେ ଶିକ୍ଷାବିତ୍‌ ଓ ଗବେଷକଙ୍କ ପରିଚୟ ଦେଇ ସମ୍ପର୍କ ସ୍ଥାପନ କରିଥିବା ସନ୍ଦେହ କରାଯାଉଛି। ତାଙ୍କ ଲେଖା ପ୍ରକାଶ କରିବାର ପ୍ରତିଶ୍ରୁତି ଦେଇ ପ୍ରଥମେ ପରିବେଶ ଓ ଭୂରାଜନୀତି ଭଳି ବିଷୟରେ ଆଲୋଚନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଆଲୋଚନା ପ୍ରତିରକ୍ଷା ଓ ରଣନୈତିକ ପ୍ରସଙ୍ଗ ଆଡ଼କୁ ଯାଇଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଥିବା କୁହାଯାଇଛି।

ଗୁପ୍ତ ଦସ୍ତାବିଜ ଓ ଡିଜିଟାଲ୍ ତଥ୍ୟକୁ ନେଇ ତଦନ୍ତ

ଗୁଇନ୍ଦା ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ମହିଳାଙ୍କ ନିକଟରେ ଜାତୀୟ ସୁରକ୍ଷା ସମ୍ପର୍କିତ ଦସ୍ତାବିଜ, ଫଟୋଗ୍ରାଫ୍‌ ଓ ଇଲେକ୍ଟ୍ରୋନିକ୍ ତଥ୍ୟ ଥିବା ସନ୍ଦେହ ଉପୁଜିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏନକ୍ରିପ୍ଟେଡ୍ ଯୋଗାଯୋଗ ମାଧ୍ୟମରେ ବିଦେଶରେ ଥିବା ବ୍ୟକ୍ତିଙ୍କ ପାଖକୁ ସୂଚନା ପଠାଯାଇଥିଲା କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି।

ମହିଳା ଜଣକ ମୂଳତଃ ତେଲଙ୍ଗାନାର ବାସିନ୍ଦା ଏବଂ ବର୍ତ୍ତମାନ ଜମ୍ମୁର ଗାନ୍ଧୀ ନଗର ଥାନା ଅଞ୍ଚଳରେ ରହୁଥିବା ସୂଚନା ମିଳିଛି।

ଅଫିସିଆଲ୍ ସିକ୍ରେଟ୍ ଆକ୍ଟରେ ମାମଲା

ରିପୋର୍ଟ ଅନୁଯାୟୀ, ଗାନ୍ଧୀ ନଗର ପୋଲିସ ଷ୍ଟେସନରେ ଏଫ୍‌ଆଇଆର୍ ନମ୍ବର ୨୯୦/୨୦୨୬ ରୁଜୁ ହୋଇଛି। ଏଥିରେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ, ୧୯୨୩ର ଧାରା ୩ ଓ ୫ ସହ ଭାରତୀୟ ନ୍ୟାୟ ସଂହିତାର ଧାରା ୧୫୨ ଏବଂ ୬୧(୨) ଅନ୍ତର୍ଭୁକ୍ତ ଥିବା କୁହାଯାଇଛି।

ପୋଲିସ କିମ୍ବା ଗୁଇନ୍ଦା ସଂସ୍ଥା ପକ୍ଷରୁ ଏଯାଏଁ ତଦନ୍ତର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରାଯାଇନାହିଁ। କଥିତ ବିଦେଶୀ ସମ୍ପର୍କ କିପରି ସ୍ଥାପିତ ହେଲା, କେତେ ଦିନ ଧରି ଯୋଗାଯୋଗ ଚାଲିଥିଲା ଏବଂ କୌଣସି ସମ୍ବେଦନଶୀଳ ତଥ୍ୟ ପ୍ରକୃତରେ ହସ୍ତାନ୍ତର ହୋଇଥିଲା କି ନାହିଁ—ଏସବୁ ଦିଗରେ ତଦନ୍ତ ଚାଲିଛି।

 

Leave a Reply

Your email address will not be published. Required fields are marked *