ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କଲେ ମୋହନ ମାଝୀ
ଭୁବନେଶ୍ୱର, ୩୦/୧୦: ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ, କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକର ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ବାତ୍ୟା ପ୍ରଭାବିତ ଅଞ୍ଚଳର ବର୍ତ୍ତମାନର ସ୍ଥିତି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବିଭିନ୍ନ ରିଲିଫ୍ ଓ ପୁନରୁଦ୍ଧାର ପଦକ୍ଷେପ ବିଷୟରେ ବିସ୍ତୃତ ଭାବେ ଜଣାଇଛନ୍ତି।
ଏହି କଠିନ ସମୟରେ ଓଡ଼ିଶାବାସୀଙ୍କ ସୁରକ୍ଷାକୁ ନେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ଆଶ୍ୱାସନା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଏହି ସମ୍ବେଦନଶୀଳ ଆଭିମୁଖ୍ୟ ଓ ସହଯୋଗର ପ୍ରତିଶ୍ରୁତି ରାଜ୍ୟ ସରକାରଙ୍କ ମନୋବଳକୁ ଆହୁରି ଦୃଢ଼ କରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା, ରିଲିଫ୍ ସହାୟତା ଏବଂ ସ୍ୱାଭାବିକ ଜୀବନଯାତ୍ରାର ପୁନଃସ୍ଥାପନକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାରୁ ସ୍ପଷ୍ଟ ହୋଇଛି।
