### ସମ୍ଭାବ୍ୟ ବିପଦ ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ୨,୩୯୪ ଜଣ ସୁରକ୍ଷିତ ସ୍ଥାନାନ୍ତର
୧୪୬ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର, ୩୫ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ; ମୁତୟନ ହେଲେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ଟିମ୍
କନ୍ଧମାଳ: ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଜନଜୀବନର ସୁରକ୍ଷା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆଗୁଆ ପ୍ରସ୍ତୁତି କରାଯାଇଛି। ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନେବା ସହ ଉଦ୍ଧାର, ରିଲିଫ୍ ଓ ଜରୁରୀକାଳୀନ ସେବାକୁ ସଜାଗ ରଖାଯାଇଛି।
ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଜିଲ୍ଲାର ୩୫ଟି ପକ୍କା ଆଶ୍ରୟସ୍ଥଳୀକୁ ମୋଟ ୨,୩୯୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିରେ ୮୪୮ ଜଣ ପୁରୁଷ, ୧,୦୩୦ ଜଣ ମହିଳା ଓ ୪୫୦ ଜଣ ଶିଶୁ ଅଛନ୍ତି। ଏହାସହ ୧୪୬ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
### ଉଦ୍ଧାର କାର୍ଯ୍ୟ ପାଇଁ ସଜାଗ ଉଦ୍ଧାରକାରୀ ଦଳ
ବିପର୍ଯ୍ୟୟ ସମୟରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଜିଲ୍ଲାରେ ଗୋଟିଏ ଓଡ୍ରାଫ୍ ଟିମ୍ ମୁତୟନ ରହିଛି। ସେହିପରି ଦୁଇଟି ଏନ୍ଡିଆର୍ଏଫ୍ ଟିମ୍କୁ ଜି. ଉଦୟଗିରି ଓ ରାଇକିଆଠାରେ ମୁତୟନ କରାଯାଇଛି।
ବିପଦପ୍ରବଣ ବ୍ଲକ୍ଗୁଡ଼ିକରେ ୭ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି। ଏଥିରୁ ଜି. ଉଦୟଗିରିରେ ୫ଟି ଓ ରାଇକିଆରେ ୨ଟି ଟିମ୍ ରହିଛନ୍ତି। ଏହାବ୍ୟତୀତ ସମଗ୍ର ଜିଲ୍ଲାରେ ମୋଟ ୯ଟି ଅଗ୍ନିଶମ ଟିମ୍କୁ ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରଖାଯାଇଛି।
### ୧୮ ପଞ୍ଚାୟତର ୬୨ ବିପଦପ୍ରବଣ ଜନବସତି ଉପରେ ନଜର
ଜିଲ୍ଲାର ୧୮ଟି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୬୨ଟି ବିପଦପ୍ରବଣ ଜନବସତିରେ ସ୍ଥାନାନ୍ତରଣ ଓ ଆଗୁଆ ସତର୍କତାମୂଳକ ପଦକ୍ଷେପକୁ ଜୋରଦାର କରାଯାଇଛି। ସମସ୍ତ ୩୫ଟି ଆଶ୍ରୟସ୍ଥଳୀରେ ବିଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ୍, ଶୌଚାଳୟ, ଔଷଧ ଓ ମାଗଣା ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି।
ରାସ୍ତା ଅବରୋଧ ହେଲେ ତୁରନ୍ତ ହଟାଇ ଯାତାୟାତ ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ବିଭିନ୍ନ ବ୍ଲକ୍ରେ ୩୭ଟି ଜେସିବି ମେସିନ୍ ମୁତୟନ କରାଯାଇଛି। ଏଥିସହ ମାଇକ୍ ଯୋଗେ ପ୍ରଚାର କରି ଲୋକଙ୍କୁ ସତର୍କ ଓ ସଚେତନ କରାଯାଉଛି।
### ୧୨ଟି ବ୍ଲକ୍ରେ ଜରୁରୀ ସାମଗ୍ରୀ ମହଜୁଦ
ଜିଲ୍ଲାର ସମସ୍ତ ୧୨ଟି ବ୍ଲକ୍ରେ ଷ୍ଟାଣ୍ଡବାଇ ଜେନେରେଟର, ପାଣି ଟ୍ୟାଙ୍କର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। ସମସ୍ତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଆବଶ୍ୟକ ସ୍ଥାନରେ ଉପଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳଙ୍କୁ ମଧ୍ୟ ମୁତୟନ କରାଯାଇଛି। ଜିଲ୍ଲା ନିୟନ୍ତ୍ରଣ କକ୍ଷ ମଧ୍ୟ ୨୪ ଘଣ୍ଟିଆ ଜରୁରୀ ସେବା ପାଇଁ କାର୍ଯ୍ୟକ୍ଷମ ରହିଛି।
### ସକାଳ ୮ଟା ସୁଦ୍ଧା ୭.୫୮ ମିମି ବର୍ଷା ରେକର୍ଡ
ନଭେମ୍ବର ୨ ତାରିଖ ସକାଳ ୮ଟା ସୁଦ୍ଧା କନ୍ଧମାଳ ଜିଲ୍ଲାରେ ହାରାହାରି ୭.୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତେବେ ଏପର୍ଯ୍ୟନ୍ତ ପବନର ବିଶେଷ ପ୍ରଭାବ ଅନୁଭୂତ ହୋଇନଥିବା ସୂଚନା ମିଳିଛି।
ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗକୁ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସଜାଗ ରଖିଛି। ବିପଦପ୍ରବଣ ଅଞ୍ଚଳର ଲୋକମାନେ ପ୍ରଶାସନର ନିର୍ଦ୍ଦେଶ ମାନି ସୁରକ୍ଷିତ ସ୍ଥାନରେ ରହିବାକୁ ଅନୁରୋଧ କରାଯାଇଛି।
