Spread the love

### ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ୧୫ଟି ନିଷ୍ପତ୍ତି ନେଲେ ରାଜ୍ୟ ସରକାର

୧୯୪ଟି ହାଇସ୍କୁଲକୁ ମିଳିବ ବ୍ଲକ୍ ଗ୍ରାଣ୍ଟ | ପାର୍ଟ-ଟାଇମ୍ ଶିକ୍ଷକଙ୍କ ଦରମା ୧୦ ହଜାରରୁ ୧୬ ହଜାରକୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା ବିଭାଗର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଭିନ୍ନ ଶିକ୍ଷକ ଓ କର୍ମଚାରୀ ସଂଘର ଦାବି ଏବଂ ଅଶୋକ ତ୍ରିପାଠୀ କମିଟିର ସୁପାରିଶକୁ ଆଧାର କରି ୧୫ଟି ପ୍ରମୁଖ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି।

ଏନେଇ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଶିକ୍ଷକ ଓ କର୍ମଚାରୀଙ୍କ ଦୀର୍ଘଦିନର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦିଆଯାଇଛି।

ଏହି ନିଷ୍ପତ୍ତି ମଧ୍ୟରେ ରହିଛି:

1\. ୨୦୧୩ ସରକାରୀ ବ୍ଲକ୍ ଗ୍ରାଣ୍ଟ ଅନୁଦାନରୁ ବଞ୍ଚିତ ୧୯୪ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନଭୁକ୍ତ କରାଯିବ।

2\. ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ପାର୍ଟ-ଟାଇମ୍ କଳା, ସଙ୍ଗୀତ ଓ କ୍ରୀଡ଼ା ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୧୦ ହଜାରରୁ ୧୬ ହଜାର ଟଙ୍କାକୁ ବୃଦ୍ଧି ହେବ।

3\. ୨୦୨୨ରେ ନିୟମିତ ହୋଇଥିବା ଏବଂ ୬ ବର୍ଷ ସେବା ପୂରଣ କରିଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟର TGT ଓ PET ଶିକ୍ଷକଙ୍କୁ ବକେୟା ଦରମା ପ୍ରଦାନ କରାଯିବ।

4\. ପ୍ରାଥମିକ ଶିକ୍ଷକଙ୍କ ନିୟମିତ ପଦୋନ୍ନତି ବ୍ୟବସ୍ଥା କରାଯିବ।

5\. ୨୦୧୬ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଶିକ୍ଷା ସହାୟକମାନଙ୍କୁ ନିୟମିତ କରାଯିବ।

6\. ପ୍ରଥମା ଓ ମଧ୍ୟମା ସଂସ୍କୃତ ଟୋଲ୍‌ଗୁଡ଼ିକରେ ନିୟମିତ ଶିକ୍ଷକ ନିଯୁକ୍ତି କରାଯିବ।

7\. ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ କ୍ଲାସିକାଲ୍ ଶିକ୍ଷକଙ୍କୁ ଟ୍ରେନ୍‌ଡ ଗ୍ରାଜୁଏଟ୍ (TG) ଶିକ୍ଷକଙ୍କ ଯୋଗ୍ୟତା ସାରଣୀରେ ସାମିଲ କରାଯିବ।

8\. ପୂର୍ଣ୍ଣ ଅନୁଦାନପ୍ରାପ୍ତ ମଧ୍ୟମା ସଂସ୍କୃତ ଟୋଲ୍‌ଗୁଡ଼ିକରେ ଶିକ୍ଷକ ମୁତୟନ କରାଯିବ।

9\. ଧନ୍ଦାମୂଳକ ପ୍ରଶିକ୍ଷକମାନଙ୍କୁ ନିୟମିତ ବେତନ ପ୍ରଦାନର ବ୍ୟବସ୍ଥା ହେବ।

10\. ଓଡ଼ିଶା କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ମାନଙ୍କୁ ଅଧିକ ଯୋଗ୍ୟତା ହାସଲ କରିବାର ସୁଯୋଗ ମିଳିବ।

11\. ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଆବାସିକ ଛାତ୍ରାବାସ ନିର୍ମାଣ ଶେଷ କରି ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ।

12\. ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିୟମିତ ଦରମା ପ୍ରଦାନ ପାଇଁ ବ୍ୟବସ୍ଥା ହେବ।

13\. ଆଦର୍ଶ ବିଦ୍ୟାଳୟର କର୍ମଚାରୀଙ୍କ ପିଲାମାନଙ୍କୁ ସେହି ବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ମିଳିବ।

14\. ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ TGT ଶିକ୍ଷକଙ୍କ ପୂର୍ବ ଚାକିରି କାଳକୁ ଗଣନା କରିବା ସହ ବେତନ ସୁରକ୍ଷା ପ୍ରଦାନ କରାଯିବ।

15\. ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ AI ଓ ରୋବୋଟିକ୍ସ ପରୀକ୍ଷାଗାର ସ୍ଥାପନ କରାଯିବ।

ବ୍ଲକ୍ ଗ୍ରାଣ୍ଟ କର୍ମଚାରୀଙ୍କ ପେନସନ୍ ପ୍ରସଙ୍ଗ ହାଇକୋର୍ଟରେ

ଅନ୍ୟପକ୍ଷରେ ବ୍ଲକ୍ ଗ୍ରାଣ୍ଟ କର୍ମଚାରୀଙ୍କ ପେନସନ୍ ସମ୍ପର୍କିତ ଦାବି ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟଙ୍କ ବିଚାରାଧୀନ ରହିଛି। ତେଣୁ ଏହି ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ମିଳିବା ପରେ ସରକାର ପରବର୍ତ୍ତୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ।

ସରକାରଙ୍କ ଏହି ୧୫ଟି ନିଷ୍ପତ୍ତି ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ସହ ବିଦ୍ୟାଳୟସ୍ତରରେ ଶିକ୍ଷାଦାନର ଗୁଣବତ୍ତା ବୃଦ୍ଧି ପାଇବା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *