ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଗୌରବମୟ ମୁହୂର୍ତ୍ତରେ ରାଜ୍ୟ ସରକାର ୨୦୨୩-୨୪ ବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ସଂସ୍କୃତି ମନ୍ତ୍ରୀ ସୁର୍ୟବଂଶୀ ସୂରଜ ଗୁରୁବାର ଏହି ପୁରସ୍କାର ତାଲିକା ଘୋଷଣା କରିଥିବାବେଳେ, ୨୦୨୩ ପାଇଁ ‘ପୁଷ୍କରା’ ଓ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ମିଳିଛି।
ସେହିପରି ୨୦୨୪ ବର୍ଷ ପାଇଁ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଚୟନ ହୋଇଛି।ଏହି ବର୍ଷର ପୁରସ୍କାର ଘୋଷଣାରେ ତରଙ୍ଗ ପ୍ରଯୋଜିତ ଦୁଇଟି ଚଳଚ୍ଚିତ୍ର ଶ୍ରେଷ୍ଠ ସମ୍ମାନ ହାସଲ କରି ବିଶେଷ ସଫଳତା ଅର୍ଜନ କରିଛି। ଏହା ଓଡ଼ିଆ ସିନେମାର ଗୁଣାତ୍ମକ ବିକାଶ ଓ ନୂତନ କାହାଣୀଭିତ୍ତିକ ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ଆକର୍ଷଣକୁ ପୁନର୍ବାର ପ୍ରମାଣିତ କରିଛି।ଅଭିନୟ ବିଭାଗରେ ‘ପୁଷ୍କରା’ ଚଳଚ୍ଚିତ୍ରରେ ଉଲ୍ଲେଖନୀୟ ଅଭିନୟ ପାଇଁ ସୁପ୍ରିୟା ୨୦୨୩ ବର୍ଷର ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଲାଭ କରିଛନ୍ତି। ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ର ଅଭିନେତ୍ରୀ ନେନା ଦାସ ଶ୍ରେଷ୍ଠ ଅଭିନେତ୍ରୀ ଓ ‘ଧୋରେ ବାବୁ ଧୋ’ ପାଇଁ ପ୍ରଖ୍ୟାତ ଅଭିନେତା ହରିହର ମହାପାତ୍ର ୨୦୨୩ ବର୍ଷର ଶ୍ରେଷ୍ଠ ଅଭିନେତା, ପିନାକୀ ସିଂହ ଓ ଶିଶିର କୁମାର ସାହୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଚୟନ ହୋଇଛନ୍ତି। ଜୀବନବ୍ୟାପୀ ସାଧନା ପାଇଁ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି ।ପ୍ରାମାଣିକ ଚଳଚ୍ଚିତ୍ର ବିଭାଗରେ ‘ମୋ ବୋଉ ମୋ ଗାଁ’କୁ ସମ୍ମାନିତ କରାଯାଇଛି। ଗ୍ରାମୀଣ ଜୀବନ, ସଂସ୍କୃତି ଓ ସାମାଜିକ ବାସ୍ତବତାକୁ ଉପସ୍ଥାପନ କରିଥିବା ଏହି ପ୍ରାମାଣିକ ଚଳଚ୍ଚିତ୍ର ଜୁରିଙ୍କ ପ୍ରଶଂସା ଲାଭ କରିଛି।ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ନୂତନ ପିଢ଼ିର ନିର୍ମାତା, ଅଭିନେତା ଓ କଳାକାରମାନଙ୍କ ପାଇଁ ଏହି ସମ୍ମାନ ଅଧିକ ସୃଜନଶୀଳ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ସିନେମା ମହଲରେ ମତ ପ୍ରକାଶ ପାଇଛି।



