ନେତ୍ରୋତ୍ସବ ପରେ ନବଯୌବନ ବେଶ ରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ
ଉଟଲି (ଅଭିମନ୍ୟୁ ପଧାନ ): – ସୁସ୍ଥ ହେଲେ ମହାପ୍ରଭୁ ଶ୍ରୀଦଧିବାମନ, ଦିନକ ପରେ ରଥଯାତ୍ରା, ପବିତ୍ର ରଥଯାତ୍ରା ପାଖେଇ ଆସୁଥିବାରୁ ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଲା ଭଟଲି ଶ୍ରୀ ଦଧିବାମନ ଧାମ ଏବେ ଚଳଚଞ୍ଚଳ ହୋଇଉଠୁଛି। ସ୍ନାନପୂର୍ଣ୍ଣିମାଠାରୁ ମହାସ୍ନାନ କରିବା ପରେ ମହାପ୍ରଭୁ ନବେଦୀରେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ବିଜେ କରିଥିଲେ। ତେବେ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଆୟୁର୍ବେଦିକ ଔଷଧ ତଥା ପୁରୋହିତମାନଙ୍କ ସେବା ଯୋଗୁ ଦଶ ମୂଳ ସେବନ କରି ମହାପ୍ରଭୁ ସୁସ୍ଥ ହେବା ପରେ ଆଜି ମଙ୍ଗଳବାର ପୂର୍ବାହ୍ନରେ ମହାପ୍ରଭୁ ନେତ୍ରୋତ୍ସବ ପରେ ଭକ୍ତ ମାନଙ୍କୁ ନବଯୌବନ ବେଶ ରେ ଦର୍ଶନ ଦେଇଥିଲେ l ନବାଯୌବନ ବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଙ୍କ ଆଗମନ ହୋଇଥିଲା l ଆସନ୍ତା ୧୬ ତାରିଖ ଦିନ ଶ୍ରୀଦଧିବାମନ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ଏଥିପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି! ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ନନ୍ଦିଘୋଷ ରଥ ମଧ୍ୟ ପ୍ରସ୍ତୁ ପ୍ରସ୍ତୁତ ହୋଇସାରିଛି। ୪୭୨ ଖଣ୍ଡ କାଠରେ ନିର୍ମିତ ଏହି ରଥରେ ଆଠଗୋଟି ଚକ ଯାହାର ଉଚ୍ଚତା ସାଢ଼େ ଚାରି ଫୁଟ୍, ୪ଟି ଅଖ, ରଥର ଉଚ୍ଚତା ୩୫ ଫୁଟ୍, ଦୈର୍ଘ୍ୟ ୨୪.୬ ଫୁଟ୍. ପ୍ରସ୍ଥ ୨୦.୩ ଫୁଟ୍ ରହିଛି। ଚଳିତ ବର୍ଷ ମହାପ୍ରଭୁଙ୍କୁ ସୁବିଧାରେ ରଥାରୂଢ କରିବା ପାଇଁ ଲୌହ ନିର୍ମିତ ପାହାଚର ବ୍ୟବସ୍ଥା କରାଯାଇଛି। ରଥ ଦଉଡି଼ ନାମ ସଂଖଚୂଡ଼, ଦ୍ବାରପାଳ ଜୟ ବିଜୟ, ଦୁଇ ଅଶ୍ଵର ନାମ ବଳାହକ ଓ ହରିଦ୍ଵାଶ, ରଥାବରଣ କପଡ଼ା ଲାଲ, କଳା ଓ ହଳଦିଆ ପାଟବସ୍ତ୍ର, ରଥ ପତାକାର ନାମ ତ୍ରିଲୋକ୍ୟ ମୋହିନୀ ଅଟେ | ବଢ଼େଇମାନଙ୍କ ଦ୍ଵାରା ନବନିର୍ମିତ ଏହି ନନ୍ଦିଘୋଷ ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ପ୍ରଭୁ ଶ୍ରୀଦଧିବାମନ ବିଜେ କରିବେ। ଅପରପକ୍ଷେ ଏହି ପିଠର ଅନନ୍ୟ ପରମ୍ପରା ଅନୁଯାୟୀ ନବଜାତ ଶିଶୁମାନଙ୍କୁ ରଥଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେବେ ମହାପ୍ରଭୁ ରଥାରୂଢ ହେବେ ଏବଂ ନିଜ ଶିଶୁ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିବେ ସେନେଇ ସେମାନଙ୍କ ପିତାମାତା ଭାବବିହ୍ବଳ ହୋଇପଡ଼ିଛନ୍ତି | ମହାପ୍ରଭୁଙ୍କ ଅଷ୍ଟଚକ ବିଶିଷ୍ଟ ରଥକୁ ସମଗ୍ର ଗ୍ରାମବାସୀ ରଥ ମହାରଣାମାନଙ୍କ ସହିତ ମିଶି ପ୍ରସ୍ତୁତ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ ମଧ୍ୟ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିସାରିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ରୁଟ୍ମ୍ୟାପ୍ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ ଚଳିତ ବର୍ଷ ନବଗୁଞ୍ଜର ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଭକ୍ତମାନଙ୍କ ମନୋରଞ୍ଜନ ଲାଗି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ପ୍ରସ୍ତୁତି ସରିଛି। ବିଭିନ୍ନ ମହିଳା ଦଳ ତରଫରୁ ସଂକୀର୍ତ୍ତନ ପରିବେଷଣ ସମେତ ଆହୁରି ଆକର୍ଷଣୀୟ କାର୍ଯ୍ୟକ୍ରମମାନ କରିବା ପାଇଁ ଯୋଜନା ରହିଥିବା ପରିଚାଳନା କମିଟି ସଭାପତି ମୋତିଲାଲ୍ ବନଛୋର ସୂଚନା ଦେଇଛନ୍ତି !




