ମୋଡ଼ ବଦଳାଉଛି ପରିବା, ଛୁଇଁ ହେଉନି କିଣି ହେଉନି
ତାଳଚେର,୨୧/୦୭ ଖାଉଟି ବଜାର ଏବେ ଲଗାମଛଡ଼ା । ବର୍ତମାନ କଂଚା ପରିବା ଆଡ଼କୁ ଚାହିଁ ହେଉନି । କିଛି ପରିବା ୮୦ଟଙ୍କା ତଳକୁ ନାହିଁ । ଝୁଡ଼ଙ୍ଗ ଭଳି ପରିବା କେଜି ପ୍ରତି ଅହେତୁକ ଦର । ତାଳଚେର ଦୋକାନ ବଜାର ଓ ଡ଼େଲିମାର୍କେଟରେ ପରିବା ଦର ଢ଼େର ଅଧିକ ରହୁଛି । ଆଳୁ, ପିଆଜ, ପୋଟଳ, ବାଇଗଣ, ଟମାଟୋ, ସଲରା, କଲରା, ବିନ୍, ମୂଳା, କନ୍ଦମୂଳ, କଖାରୁ, କାଙ୍କଡ଼, କୁନ୍ଦୁରୁ, ଗୁଆଁରୁ, ଅଦା, ରଶୁଣ, ଲଙ୍କା, ଦୁଡ଼କା, ଜହ୍ନି, ଖୁମ୍ବଆଳୁ, ଛୁଇଁ, ଲାଉ, ଅମୃତଭଣ୍ଡା ଆଦି ପରିବା ସାଧାରଣ ଖାଉଟି ଦର ବୁଝିବା ପରେ ଖାଲିବ୍ୟାଗ୍ ଧରି ଘରକୁ ଫେରୁଛନ୍ତି । ଅଧିକାଂଶ ଆଳୁ ପିଆଜରେ କାମ ଚଳାଇବାକୁ ଚିନ୍ତା କରୁଥିବା ବେଳେ ପିଆଜ ଦର ଖୁୁଚୁରା ବଜାରେ ଅଧିକ ମୂଲ୍ୟରେ ପଂହଚି । ବ୍ୟବସାୟୀଙ୍କ କହିବା କଥା ଆଳୁ ପିଆଜ ଚାହିଦା ବଢ଼ି ଯାଇଥିବାରୁ ସେମାନେ ଅଧିକ ଦର ଦେଇ କିଣୁଛନ୍ତି । ସେଥିପାଇଁ ଖାଉଟିଙ୍କୁ ବର୍ଦ୍ଧିତ ଦରରେ ଆଳୁ ପିଆଜ ବିକିବାକୁ ବାଧ୍ୟ ହେଉଛନ୍ତି । ଆଳୁ, ପିଆଜ ଦର ଯେ କେତେ ବେଳେ ନିୟନ୍ତ୍ରଣ ବାହାରକୁ ନଯିବ, ତାହା କହି ହେଉନାହିଁ । କଂଚା ପରିବା ଦର ଆକାଛୁଆଁ, ଖାଉଟି ଆମିଷରେ କାମ ଚଳାଇଦେବାକୁ ଚାହୁଁଥିବା ବେଳେ ରୁସୁଣ କିଲୋ ୧୫୦ଟଙ୍କା, ଅଦା ୨୫୦ ଟଙ୍କା ଏବଂ କଂଚାଲଙ୍କା ୨ଶହ ଟଙ୍କା ଉପରେ । ଏହା ଭିତରେ ଚର୍ଚ୍ଚାରେ ରହିଛି ବିଲାତି । ସରକାର ବଜାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଲେ ଦର ନିୟନ୍ତ୍ରଣ ରହିବା ସହ ଖାଉଟିମାନେ ଉଚିତ ମୂଲ୍ୟରେ ପନିପରିବା ପାଇବେ ବୋଲି କୁହାଯାଉଛି । ଗରୀବ ଖଟିଖିଆ ଚାଉଳ ଟଙ୍କିକିଆ ପାଉଥିବା ବେଳେ ପନିପରିବା ଦର ଆକାଶଛୁଆଁ । ତେଣୁ ତୁରନ୍ତ ଏଦିଗରେ ସରକାର ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣ ଜନତା ଦାବି କରିଛନ୍ତି ।

July 21, 2026/
No Comments


