
ବ୍ୟାଙ୍କ ସମୁହର ଜିଲ୍ଲା ସ୍ତରୀୟ ତ୍ରୈମାସିକ ପରାମର୍ଶଦାତା ଓ ସମନ୍ବୟ କମିଟୀ ବୈଠକ
(ଜେ ବି ଏନ /ସୁଶିଲ କୁମାର) ୨୨/୧୨/୨୦୨୦ ଅନୁଗୋଳ : ଜିଲ୍ଲାରେ ଚାଲୁଥିବା ବ୍ୟାଙ୍କ ଗୁଡିକର ବିଭିନ୍ନ କାର୍ଯ୍ୟଧାରାକୁ ନେଇ ଗତକାଲି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ତ୍ରୈମାସିକ ପରାମର୍ଶଦାତା କମିଟୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗରିବ ଚାଷୀ, କ୍ଷୁଦ୍ର ଉଦ୍ୟୋଗୀ , ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ପ୍ରଦାନ କରିବାକୁ ଜିଲ୍ଲାପାଳ ବ୍ୟାଙ୍କ କର୍ତ୍ତୃପକ୍ଷ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସାମଗ୍ରିକ ଅର୍ଥନୈତିକ ଉନ୍ନତି ନିମନ୍ତେ ସମସ୍ତ ବ୍ୟାଙ୍କଗୁଡିକ ଆଗେଇ ଆସିବାକୁ ସେ ଆହ୍ବାନ କରିଥିଲେ ।

ନାବାର୍ଡ ପକ୍ଷରୁ ସମ୍ଭାବ୍ୟ ଋଣ ଯୋଜନା ୨୦୨୧ – ୨୨ ପାଇଁ ଅନୁଗୋଳ ଜିଲ୍ଲାରେ ୨୭୭୨.୨୯ କୋଟି ଟଙ୍କା ଅଗ୍ରାଧିକାର କ୍ଷେତ୍ରରେ ଋଣ ବଣ୍ଟନ ପାଇଁ ଆକଳନ କରାଯାଇଛି । ଏହି ଆକଳନ ପୁସ୍ତିକାକୁ ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ରବି ଫସଲ ପାଇଁ ୪୬୭.୪୮ କୋଟି ଟଙ୍କା ରୁଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୨୦୨୦ – ୨୧ ଆର୍ଥିକ ବର୍ଷ ପାଇଁ କୃଷି କ୍ଷେତ୍ରରେ ୧୪୯୦.୫୭ କୋଟି ଟଙ୍କା ରୁଣ ବଣ୍ଟନ ପାଇଁ ବୈଠକରେ ଅନୁମୋଦନ କରାଯାଇଛି । ବ୍ୟାଙ୍କ କର୍ତ୍ତୁପକ୍ଷ , କୃଷି , ଉଦ୍ୟାନ , ପଶୁ ସମ୍ପଦ , ମସ୍ୟା , ଜିଲ୍ଲା ଶିଳ୍ପ କେନ୍ଦ୍ର , ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ପ୍ରଭୃତି ବିଭାଗର ଅଧିକାରୀମାନେ ପରସ୍ପର ଉତ୍ତମ ସମନ୍ବୟ ରଖି ଲୋକଙ୍କ ଆର୍ଥିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଶ୍ରୀ ମହେଶ୍ବର ଗୌଡ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଗତମାସ ୩୦ ତାରିଖ ସୁଦ୍ଧା ଜିଲ୍ଲାର ବାର୍ଷିକ ଆକଳନର ୪୬ ପ୍ରତିଶତ ଋଣ କୃଷି , ଶିଳ୍ପ , ଶିକ୍ଷା , ଗୃହ ଇତ୍ୟାଦି ଅଗ୍ରାଧିକାର କ୍ଷେତ୍ରରେ ବଣ୍ଟନ କରାଯାଇଛି ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ଦିଲୀପ କୁମାର ସାହୁ , ନାବାର୍ଡର ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ଶ୍ରୀ ଶରତ କୁମାର ବେହେରା , ଭାରତୀୟ ଷ୍ଟେଟ ବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ ଶ୍ରୀ ମୀନକେତନ ବରାଳବେଡିଆ , ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କର ସମ୍ପାଦକ ଶ୍ରୀ ଭୁକ୍ତେଶ୍ଵର ମଲିକ ଙ୍କ ସମେତ ବିଭିନ୍ନ ବ୍ୟାଙ୍କର କର୍ତ୍ତୁପକ୍ଷମାନେ ଉପସ୍ଥିତ ଥିଲେ । ଅଗ୍ରଣୀ ବ୍ୟାଙ୍କ ଜିଲ୍ଲା କାର୍ଯ୍ୟାଳୟର ସହ ପ୍ରବନ୍ଧକ ଶ୍ରୀ ଦିଲିପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



