Spread the love

ଭୋଟରଙ୍କ ଘରେ ପହଞ୍ଚିବେ BLO, ଅନ୍‌ଲାଇନ୍ ହେବ ଶୁଣାଣି; ଦାବି-ଆପତ୍ତି ଅବଧି ବଢ଼ାଇଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ, ୨୬/୦୯: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ଅଧିକ ସୁଗମ ଓ ଲୋକାଭିମୁଖୀ କରିବା ଦିଗରେ ନିର୍ବାଚନ ଆୟୋଗ ଏକାଧିକ ନୂଆ ନିଷ୍ପତ୍ତି ନେଇଛନ୍ତି। ୨୬ ସେପ୍ଟେମ୍ବରରେ ନିର୍ବାଚନ ସଦନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତିଗୁଡ଼ିକ ଗ୍ରହଣ କରାଯାଇଛି।

SIR ସମୟରେ ‘Unmapped’ କିମ୍ବା ‘Logical Discrepancies’ ଦର୍ଶାଇ ନୋଟିସ୍ ପାଇଥିବା ବ୍ୟକ୍ତିଙ୍କ ଘରକୁ ବୁଥ୍‌ସ୍ତରୀୟ ଅଧିକାରୀ (BLO) ଯାଇ ଆବଶ୍ୟକ ଦଲିଲ ସଂଗ୍ରହ କରିବେ। ଏହି ଦଲିଲ ECINETରେ ଅପଲୋଡ୍ ହେବା ପରେ EROଙ୍କ ନିଷ୍ପତ୍ତି ପାଇଁ ଉପସ୍ଥାପିତ ହେବ। ସାଧାରଣତଃ ଏପରି ଭୋଟରଙ୍କୁ ERO/AERO କାର୍ଯ୍ୟାଳୟକୁ ଶୁଣାଣି ପାଇଁ ଡକାଯିବ ନାହିଁ। ବିଶେଷ ପରିସ୍ଥିତିରେ ଶୁଣାଣି ହେଲେ ଅନ୍‌ଲାଇନ୍ ମାଧ୍ୟମକୁ ମଧ୍ୟ ବ୍ୟବହାର କରାଯିବ।

ଗରିବ, ଶ୍ରମିକ, ଗୃହହୀନ ଏବଂ ରାତ୍ରି ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସୁବିଧା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଆବଶ୍ୟକତା ଅନୁଯାୟୀ ହେଲ୍ପ ଡେସ୍କ କିମ୍ବା ସ୍ୱତନ୍ତ୍ର ଶିବିର କରିବେ।

ଦିଲ୍ଲୀ ଓ ମହାରାଷ୍ଟ୍ର ପାଇଁ ସମୟସୀମା ବୃଦ୍ଧି

ଦାବି ଓ ଆପତ୍ତି ଦାଖଲ ପାଇଁ ଦିଲ୍ଲୀରେ ସମୟସୀମା ୩୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବଢ଼ାଯାଇଛି। ନୋଟିସ୍ ଏବଂ ଦାବି-ଆପତ୍ତିର ନିଷ୍ପତ୍ତି ପାଇଁ ଶେଷ ତାରିଖ ୩୦ ନଭେମ୍ବର ୨୦୨୬ କରାଯାଇଛି।

ସେହିପରି ମହାରାଷ୍ଟ୍ରରେ ଦାବି-ଆପତ୍ତି ଦାଖଲର ଶେଷ ତାରିଖ ୧୨ ଅକ୍ଟୋବର ୨୦୨୬ ଏବଂ ଏହାର ନିଷ୍ପତ୍ତି ପାଇଁ ୧୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ନାମ ବାଦ ପଡ଼ିଥିଲେ ପୁଣି ଆବେଦନ କରିପାରିବେ

SIR ସମ୍ପୂର୍ଣ୍ଣ ହୋଇଥିବା ବିହାର ଓ ପଶ୍ଚିମବଙ୍ଗ ସମେତ ୨୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରୁ ନାମ ବାଦ ପଡ଼ିଥିବା ବ୍ୟକ୍ତିମାନେ Continuous Updation ପ୍ରକ୍ରିୟାରେ ପୁଣି ନାମ ସାମିଲ କରିବା ପାଇଁ ସମ୍ପୃକ୍ତ EROଙ୍କ ନିକଟରେ ଆବେଦନ କରିପାରିବେ। ଯୁବ ଓ ପ୍ରଥମ ଥର ଭୋଟରମାନେ ମଧ୍ୟ ଏହି ସୁବିଧାର ଲାଭ ନେଇପାରିବେ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ CEO, DEO ଓ EROମାନେ ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବେ।

ଏହାସହ ECINET ବ୍ୟବସ୍ଥାର ଆଇନଗତ ଓ ପ୍ରାଯୁକ୍ତିକ ଦିଗର ପୁନଃ ସମୀକ୍ଷା ପାଇଁ ଜଣେ Sr. DECଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ, ଯେଉଁଥିରେ IIT/IIITର ଜଣେ ସ୍ୱାଧୀନ ବିଶେଷଜ୍ଞ ମଧ୍ୟ ରହିବେ।

ବୈଠକରେ ଆୟୋଗଙ୍କ ପ୍ରତ୍ୟେକ ବୈଠକର ଏଜେଣ୍ଡା ପୂର୍ବରୁ ପ୍ରଚାର କରିବା, Minutes ଜାରି କରିବା, ଅଧିକାରୀଙ୍କ APAR ପ୍ରତିବର୍ଷ ୩୧ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବା ଏବଂ ବିଦେଶ ଗସ୍ତ ପାଇଁ ଆୟୋଗଙ୍କ ଅନୁମୋଦନ ନେବା ଭଳି ନିଷ୍ପତ୍ତି ମଧ୍ୟ ହୋଇଛି।

Leave a Reply

Your email address will not be published. Required fields are marked *