Spread the love

ବୃନ୍ଦାବନ ଆଶ୍ରମରେ ଶିଷ୍ୟଙ୍କ ମୃତ୍ୟୁ; ଚତୁର୍ଥ ମହଲାରୁ ପଡ଼ିଥିବା ଅଭିଯୋଗ, ତଦନ୍ତ ଜାରି

ବୃନ୍ଦାବନ: ବୃନ୍ଦାବନସ୍ଥିତ ଏକ ଆଶ୍ରମରେ ଶୁକ୍ରବାର ଜଣେ ଶିଷ୍ୟଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକଙ୍କ ପରିଚୟ ରସିକ ଦୁଲାରୀ ଶରଣ ବୋଲି ଜଣାପଡ଼ିଛି। ସକାଳ ପ୍ରାୟ ୧୦ଟା ୩୦ରେ ସେ ଆଶ୍ରମର ଚତୁର୍ଥ ମହଲାରୁ ତଳକୁ ପଡ଼ିଥିବା ପ୍ରାଥମିକ ସୂଚନା ମିଳିଛି।

ଚତୁର୍ଥ ମହଲାରୁ ପଡ଼ିବା ଫଳରେ ରସିକ ଦୁଲାରୀଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ଘଟଣା ପରେ ଆଶ୍ରମର କିଛି ବ୍ୟକ୍ତି ତାଙ୍କୁ ତୁରନ୍ତ ସର୍ବୋଦୟ ହସ୍ପିଟାଲକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରାଥମିକ ତଦନ୍ତରେ ପୁଲିସ ଘଟଣାକୁ ଆତ୍ମହତ୍ୟାର ସମ୍ଭାବନା ଦୃଷ୍ଟିରୁ ମଧ୍ୟ ଯାଞ୍ଚ କରୁଛି। ତେବେ ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି। ଶରୀରରେ ଥିବା ଆଘାତ ଚିହ୍ନ ଓ ଘଟଣାସ୍ଥଳର ପରିସ୍ଥିତିକୁ ନେଇ ପୁଲିସ ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରୁଛି।

ଘଟଣା ସମ୍ପର୍କରେ ପୁଲିସକୁ ବିଳମ୍ବରେ ସୂଚନା ମିଳିଥିବା ମଧ୍ୟ ଜଣାପଡ଼ିଛି। ପୁଲିସ ସହ ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରୁ ଆବଶ୍ୟକ ପ୍ରମାଣ ଓ ତଥ୍ୟ ସଂଗ୍ରହ କରୁଛି।

ମୃତକଙ୍କ ପରିବାରକୁ ମଧ୍ୟପ୍ରଦେଶରେ ସୂଚନା ଦିଆଯାଇଛି। ପରିବାର ସଦସ୍ୟମାନେ ମଥୁରାରେ ପହଞ୍ଚିବା ପରେ ମୃତଦେହର ପୋଷ୍ଟମର୍ଟମ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ପୋଷ୍ଟମର୍ଟମ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *