ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗ: AEEଙ୍କ ୬ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସର ଏକକାଳୀନ ଚଢ଼ାଉ
ଭୁବନେଶ୍ୱର, ୨୭/୦୯: ଆୟର ଜଣାଶୁଣା ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଶିଶିର କୁମାର ଦାଶଙ୍କ ବିଭିନ୍ନ ଠିକଣାରେ ଆଜି ଏକକାଳୀନ ତଲାସୀ ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ।
ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ତଲାସୀ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ଏକାଧିକ ଟିମ୍ ଏହି ଚଢ଼ାଉ କରୁଛନ୍ତି। ଅଭିଯାନରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି।
ଭିଜିଲାନ୍ସ ପକ୍ଷରୁ ଏକସଙ୍ଗେ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ୬ଟି ସ୍ଥାନରେ ତଲାସୀ ଚାଲିଛି। ଯେଉଁ ସ୍ଥାନଗୁଡ଼ିକରେ ଚଢ଼ାଉ ହେଉଛି, ସେଗୁଡ଼ିକ ହେଲା—
- ଭୁବନେଶ୍ୱର ବରମୁଣ୍ଡାସ୍ଥିତ AEEଙ୍କ ୪ ମହଲା କୋଠା।
- ବ୍ରହ୍ମପୁର ନୀଳାଚଳ ନଗରସ୍ଥିତ ଦୁଇ ମହଲା କୋଠା।
- ଗଞ୍ଜାମ ଜିଲ୍ଲା ବାସୁଦେବପୁର (ଗୋବରା)ସ୍ଥିତ ଏକ ଘର।
- ବ୍ରହ୍ମପୁର ଗଜପତି ନଗରସ୍ଥିତ ପୈତୃକ ଘର।
- ମାଲକାନଗିରିରେ ଭଡ଼ାରେ ନିଆଯାଇଥିବା ବାସଗୃହ।
- ମାଲକାନଗିରି DRDA କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ୍ ଚାମ୍ବର।
ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଟିମ୍ଗୁଡ଼ିକ ପକ୍ଷରୁ ତଲାସୀ ଜାରି ରହିଛି। ଚଢ଼ାଉ ସମୟରେ ମିଳୁଥିବା ସମ୍ପତ୍ତି, ଦଲିଲପତ୍ର ଓ ଅନ୍ୟାନ୍ୟ ତଥ୍ୟର ଯାଞ୍ଚ ପରେ ଅଧିକ ସୂଚନା ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।


