ଉତ୍ତର-ପୂର୍ବ ଭାରତରେ ବଡ଼ ଡ୍ରଗ୍ସ ରାକେଟ୍ ଠାବ
୨୩୧.୮ କେଜି ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ, ୩ ଗିରଫ
ନୂଆଦିଲ୍ଲୀ, ୧୬/୯: ନିଷିଦ୍ଧ ମାଦକଦ୍ରବ୍ୟ ଚାଲାଣ ବିରୋଧରେ ବଡ଼ ସଫଳତା ହାସଲ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)। ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ସମନ୍ୱିତ ଅଭିଯାନ ଚଳାଇ ଏକ ବଡ଼ ମେଥାମ୍ଫେଟାମାଇନ୍ ଚାଲାଣ ନେଟୱର୍କର ପର୍ଦ୍ଦାଫାସ କରାଯାଇଛି। ଅଭିଯାନରେ ମୋଟ ୨୩୧.୮ କିଲୋଗ୍ରାମ ସନ୍ଦିଗ୍ଧ ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି।
ଡିଆରଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୫ ସେପ୍ଟେମ୍ବରରେ ଗୁପ୍ତ ସୂଚନା ଆଧାରରେ ଆସାମ ଓ ତ୍ରିପୁରାରେ ଏକାସାଙ୍ଗରେ ଅନେକ ସ୍ଥାନରେ ଯାନବାହନ ଯାଞ୍ଚ କରାଯାଇଥିଲା। ଅଭିଯାନରେ ମୋଟ ୪ଟି ଟ୍ରକ୍କୁ ଟାର୍ଗେଟ୍ କରାଯାଇଥିଲା।
ରାମନାଥପୁରରେ ୧୦୯.୨ କେଜି ଜବତ:
ସିଲଚରଠାରୁ ପ୍ରାୟ ୧୦୦ କିମି ଦୂର ଆସାମର ରାମନାଥପୁରରେ ୩୮ ବାଟାଲିୟନ୍ ଆସାମ ରାଇଫଲ୍ସର ସହଯୋଗରେ ପ୍ରଥମ ଟ୍ରକ୍କୁ ଅଟକାଯାଇଥିଲା। ତଲାସି ବେଳେ ଡ୍ରାଇଭର କ୍ୟାବିନ୍ର ଛାତରେ ଲୁଚାଇ ରଖାଯାଇଥିବା ୨୭୫ଟି ପ୍ୟାକେଟ୍ରୁ ପ୍ରାୟ ୫୫ କେଜି ଗୋଲାପୀ-କମଳା ରଙ୍ଗର ଟାବଲେଟ୍ ମିଳିଥିଲା।
ସେହି ଅଞ୍ଚଳରୁ ଅନ୍ୟ ଏକ ସନ୍ଦିଗ୍ଧ ଟ୍ରକ୍କୁ ମଧ୍ୟ ଚିହ୍ନଟ କରାଯାଇଥିଲା। ଏଥିରେ ଡ୍ରାଇଭର କ୍ୟାବିନ୍ର ଛାତରେ ଲୁଚାଇ ରଖାଯାଇଥିବା ୨୭୧ଟି ପ୍ୟାକେଟ୍ରୁ ୫୪.୨ କେଜି ଟାବଲେଟ୍ ଜବତ ହୋଇଥିଲା। ଏହି ଦୁଇ ଟ୍ରକ୍ରୁ ମୋଟ ୧୦୯.୨ କେଜି ସନ୍ଦିଗ୍ଧ ମେଥାମ୍ଫେଟାମାଇନ୍ ଜବତ କରାଯାଇଥିଲା।
ତେଲିଆମୁରାରେ ଆଉ ୭୨.୬ କେଜି:
ଅନ୍ୟ ଏକ ଟାର୍ଗେଟେଡ୍ ଟ୍ରକ୍ ଖୋୱାଇରୁ ଅଗରତାଲା ଅଭିମୁଖେ ସିମେଣ୍ଟ ନେଇ ଯାଉଥିବା ବେଳେ ଅଟକାଯାଇଥିଲା। ଅଗରତାଲାଠାରୁ ପ୍ରାୟ ୪୫ କିମି ଦୂର ତେଲିଆମୁରାରେ ୨୮ ବାଟାଲିୟନ୍ ଆସାମ ରାଇଫଲ୍ସର ସହଯୋଗରେ ହୋଇଥିବା ତଲାସିରେ ଡ୍ରାଇଭର କ୍ୟାବିନ୍ର ଛାତରୁ ୨୯୫ଟି ପ୍ଲାଷ୍ଟିକ୍ ପ୍ୟାକେଟ୍ ମିଳିଥିଲା। ଏଥିରେ ୭୨.୬ କେଜି ସନ୍ଦିଗ୍ଧ ମେଥାମ୍ଫେଟାମାଇନ୍ ଟାବଲେଟ୍ ଥିବା ଜଣାପଡ଼ିଥିଲା। ଏହି ଟ୍ରକ୍ ଓ ନିଷିଦ୍ଧ ପଦାର୍ଥ ଜବତ କରାଯାଇ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।
ପାଣିସାଗର ନିକଟରୁ ଆଉ ୫୦ କେଜି:
ଅଭିଯାନ ସମୟରେ ମିଳିଥିବା ଅତିରିକ୍ତ ସୂଚନା ଆଧାରରେ ତ୍ରିପୁରାର ପାଣିସାଗର ନିକଟରେ ସେହି ସିଣ୍ଡିକେଟ୍ ସହ ସମ୍ପର୍କିତ ଆଉ ଏକ ଟ୍ରକ୍କୁ ଅଟକାଯାଇଥିଲା। ତଲାସି ବେଳେ ଟ୍ରକ୍ ଭିତରେ ଲୁଚାଇ ରଖାଯାଇଥିବା ପ୍ରାୟ ୫୦ କେଜି ସନ୍ଦିଗ୍ଧ ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ ହୋଇଥିଲା। ଏହି ଟ୍ରକ୍ ସହ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରାଯାଇଛି।
ଡିଆରଆଇର ସମନ୍ୱିତ ଅଭିଯାନରେ ମୋଟ ୨୩୧.୮ କେଜି ସନ୍ଦିଗ୍ଧ ମେଥାମ୍ଫେଟାମାଇନ୍ ଟାବଲେଟ୍, ୪ଟି ଟ୍ରକ୍ ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ନିଷିଦ୍ଧ ମାଦକଦ୍ରବ୍ୟର ବେଆଇନ ବଜାର ମୂଲ୍ୟ ଶହ ଶହ କୋଟି ଟଙ୍କା ହେବ ବୋଲି କୁହାଯାଇଛି।
ଡିଆରଆଇ ଅନୁଯାୟୀ, ଅଗଷ୍ଟ ୨୦୨୬ରେ ମଧ୍ୟ ସିଲଚର ଓ ମିଜୋରାମ ନିକଟରେ ଦୁଇଟି ପୃଥକ ଅଭିଯାନରେ ଯାନବାହନରେ ଲୁଚାଇ ରଖାଯାଇଥିବା ୭୬ କେଜି ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ କରାଯାଇଥିଲା।



