Spread the love

​ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ସାମାଜିକ କ୍ଷେତ୍ର ପ୍ରଗତି ସମୀକ୍ଷା ବୈଠକ
​ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟ ସମୀକ୍ଷା
​ସେବା ପ୍ରଦାନକୁ ଅଧିକ ଦକ୍ଷ, ଲକ୍ଷ୍ୟଭିତ୍ତିକ ଓ ଫଳପ୍ରଦ କରିବା ନେଇ ବିଭାଗୀୟ ସଚିବ ଏବଂ ଜିଲ୍ଲାପାଳମାନଙ୍କ ସହ ଆଲୋଚନା
​ଭୁବନେଶ୍ୱର, ୨୯ ସେପ୍ଟେମ୍ବର: ରାଜ୍ୟର ସାମାଜିକ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି, ଫଳାଫଳ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ସାମାଜିକ କ୍ଷେତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ପ୍ରମୁଖ ଅଗ୍ରଗତି, ତଥ୍ୟଭିତ୍ତିକ ବିଶ୍ଳେଷଣ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଏହା ସହିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଭର୍ଚୁଆଲ୍ (ଆଭାସୀ) ମାଧ୍ୟମରେ ଯୋଗଦେଇ ନିଜ ନିଜ ଜିଲ୍ଲାର ସ୍ଥିତି ଉପସ୍ଥାପନ କରିଥିଲେ ।
​ମୁଖ୍ୟ ଶାସନ ସଚିବ ସାମାଜିକ କ୍ଷେତ୍ରରେ “ତଥ୍ୟରୁ କାର୍ଯ୍ୟ – କାର୍ଯ୍ୟରୁ ଫଳାଫଳ” (Data to Action, Action to Impact) ଭିତ୍ତିକ ପ୍ରଶାସନ ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାସ୍ତରର ଅଗ୍ରଗତିକୁ ନିୟମିତ ଭାବେ ଅନୁଧ୍ୟାନ କରିବା, କ୍ଷେତ୍ର ପରିଦର୍ଶନ ବଢ଼ାଇବା ଏବଂ ବିଭିନ୍ନ ଜିଲ୍ଲାର ସଫଳ ପଦକ୍ଷେପଗୁଡ଼ିକୁ ଅନ୍ୟ ଜିଲ୍ଲାରେ ପ୍ରୟୋଗ କରିବା ନେଇ ସେ ପରାମର୍ଶ ଦେଇଥିଲେ । ସେବା ପ୍ରଦାନକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଓ ତଥ୍ୟର ସର୍ବାଧିକ ଉପଯୋଗ ଉପରେ ସେ ଗୁରୁତ୍ୱ ଦେଇଥିଲେ ।
​ବିଭାଗୱାରୀ ପ୍ରମୁଖ ସମୀକ୍ଷା ତଥ୍ୟ:
​ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ: ରାଜ୍ୟରେ ମାତୃ ମୃତ୍ୟୁହାର (MMR) ଏବଂ ନବଜାତ ଶିଶୁ ମୃତ୍ୟୁହାର (IMR) ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ବିପଦପୂର୍ଣ୍ଣ ଗର୍ଭଧାରଣର ପୂର୍ବ ଚିହ୍ନଟ, ତ୍ୱରିତ ରେଫରାଲ୍ ବ୍ୟବସ୍ଥା ଏବଂ ନିରନ୍ତର ତତ୍ତ୍ୱାବଧାନ ଯୋଗୁଁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିଛି । ଏହା ସହିତ ଯକ୍ଷ୍ମା (TB) ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ରାଜ୍ୟର ଅଗ୍ରଗତି ଉଲ୍ଲେଖନୀୟ ରହିଛି ।
​ମହିଳା ଓ ଶିଶୁ ବିକାଶ ବିଭାଗ: ‘ପୋଷଣ ଟ୍ରାକର’ ଆଧାରିତ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସେବା ଗୁଣବତ୍ତା ବୃଦ୍ଧି କରାଯାଉଛି । ରାଜ୍ୟରେ ଅତି ଗୁରୁତର ପୁଷ୍ଟିହୀନ (SAM) ଏବଂ ମଧ୍ୟମ ଗୁରୁତର ପୁଷ୍ଟିହୀନ (MAM) ଶିଶୁଙ୍କ ସଂଖ୍ୟାରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି ।
​ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ: ପ୍ରାରମ୍ଭିକ ଶିକ୍ଷାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି । ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷଣ-ଶିକ୍ଷାଦାନ ସାମଗ୍ରୀ (TLM) ବ୍ୟବହାରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ।
​ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ ସମୟରେ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ଏବଂ ଡାକ୍ତରଖାନା ଯାଇ ସ୍ଥିତି ଅନୁଧ୍ୟାନ କରିବେ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *