Spread the love

ଅକ୍ଟୋବର ୧ରେ ଭାରତ ମଣ୍ଡପମ୍‌ରେ UPSC ଶତାବ୍ଦୀ ସମାରୋହ, ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ୩୦/୦୯: ସଂଘ ଲୋକସେବା ଆୟୋଗ (UPSC)ର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଅକ୍ଟୋବର ୧ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଶତାବ୍ଦୀ ସମାରୋହ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ସମାରୋହକୁ ସମ୍ବୋଧିତ କରିବେ।

୧୯୨୬ ମସିହାରେ UPSC ପ୍ରତିଷ୍ଠା ହୋଇଥିବାରୁ ଏହାର ୧୦୦ ବର୍ଷ ପୂର୍ତ୍ତିକୁ ନେଇ ଗତ ବର୍ଷ ଅକ୍ଟୋବର ୧ରୁ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିଲା। ଅକ୍ଟୋବର ୧ର ଏହି ସମାରୋହ ସହିତ ସେହି ଶତାବ୍ଦୀ ବର୍ଷର କାର୍ଯ୍ୟକ୍ରମର ସମାପନ ହେବ।

ଜାରି ହେବ ସ୍ମାରକ ମୁଦ୍ରା ଓ ଡାକ ଟିକଟ

ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀ UPSC ଶତାବ୍ଦୀ ସ୍ମାରକ ମୁଦ୍ରା ଏବଂ ସ୍ମାରକ ଡାକ ଟିକଟ ଉନ୍ମୋଚନ କରିବେ। ଏହାସହ ‘ଭାରତରେ UPSC ଏବଂ ଲୋକସେବା ଆୟୋଗର ନୀତିକୁ ଆକାର ଦେଇଥିବା ୧୦୦ ଐତିହାସିକ ନିଷ୍ପତ୍ତି’ ଶୀର୍ଷକ ଏକ ପୁସ୍ତକ ମଧ୍ୟ ପ୍ରକାଶିତ ହେବ।

କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ଲୋକସେବା ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟ, କେନ୍ଦ୍ର ସରକାରର ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍‌, UPSC ଅଧିକାରୀଙ୍କ ସମେତ ଦେଶର ବିଭିନ୍ନ କ୍ଷେତ୍ରର ଅଂଶୀଦାରମାନେ ଯୋଗଦେବେ।

ଦୁଇଦିନିଆ କାର୍ଯ୍ୟକ୍ରମରେ ହେବ ମାନସ ମନ୍ଥନ

UPSC ପକ୍ଷରୁ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧, ୨୦୨୬ରେ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଥମ ଦିନ ଭାରତ ମଣ୍ଡପମ୍‌ରେ ‘ଶତାବ୍ଦୀ ସମାରୋହ–ମନ୍ଥନ’ ଅନୁଷ୍ଠିତ ହେବ। ଏଥିରେ ବିଶିଷ୍ଟ ବକ୍ତାଙ୍କ ଅଭିଭାଷଣ ସହ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ୟାନେଲ୍ ଆଲୋଚନା ହେବ।

Leave a Reply

Your email address will not be published. Required fields are marked *