କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ (NSE) ତାଲିକାଭୁକ୍ତ ସମ୍ପର୍କିତ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା
ଅନୁଗୋଳ, ୩୦.୦୯ : ରାଜ୍ୟର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ବିକାଶ ଏବଂ ଉଦ୍ୟୋଗୀମାନଙ୍କୁ ବିକଳ୍ପ ଆର୍ଥିକ ସୁଯୋଗ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ରାଜ୍ୟ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ରପ୍ତାନୀ ପ୍ରୋତ୍ସାହନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ ପ୍ରଶାନ୍ତିଠାରେ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ତାଲିକାଭୁକ୍ତ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାର ୪୦ରୁ ଊର୍ଦ୍ଧ୍ୱ ଶିଳ୍ପୋଦ୍ୟୋଗୀ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ଶିବାଶିଷ କାନୁନଗୋ ସ୍ୱାଗତ ଭାଷଣ ଦେଇ ଆନୁଷ୍ଠାନିକ ସହାୟତା ଓ ବିକଳ୍ପ ଆର୍ଥିକ ସୁଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜର ମୁଖ୍ୟ ପରିଚାଳକ ଶ୍ରୀ ଅବିକ ଗୁପ୍ତା ପୁଞ୍ଜି ବଜାରରୁ ପାଣ୍ଠି ସଂଗ୍ରହ, ତାଲିକାଭୁକ୍ତ (Listing) ପ୍ରକ୍ରିୟା, ଯୋଗ୍ୟତା ଓ ଆବଶ୍ୟକ ଦଲିଲପତ୍ର ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। NLF କନସଲଟାନ୍ସିର ପରିଚାଳକ ତଥା ସେବି-ପଞ୍ଜୀକୃତ ମର୍ଚେଣ୍ଟ ବ୍ୟାଙ୍କର୍ ଶ୍ରୀ ଚୌଧୁରୀ ସମ୍ବିତ ଦାସ ତାଲିକାଭୁକ୍ତର ବ୍ୟବହାରିକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। MSME ବିକାଶ ନୀତି, ୨୦୨୨ ଅଧୀନରେ ଅନ୍ବୋର୍ଡିଂ ପାଇଁ ଉପଲବ୍ଧ ସୁବିଧା ସମ୍ପର୍କରେ ସୂଚନା ଦିଆଯିବା ସହ ୨୦୨୭ ଶେଷ ସୁଦ୍ଧା ଅନୁଗୋଳରୁ ଅତିକମରେ ଗୋଟିଏ MSME କୁ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।ଶେଷରେ ବିଶେଷଜ୍ଞମାନେ ଉଦ୍ୟୋଗୀଙ୍କ ପାଣ୍ଠି ସଂଗ୍ରହ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇଥିଲେ।
