ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀରେ ମା’ ତାରେଣୀଙ୍କ ବିଶେଷ ପୂଜା
ଢେଙ୍କାନାଳ: ପବିତ୍ର ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀ ଅବସରରେ ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ୍ସ୍ଥିତ ମା’ ତାରେଣୀଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି।
ପବିତ୍ର ଏକାଦଶୀ ସହ ମଙ୍ଗଳବାର ଥିବାରୁ ମା’ଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା। ପ୍ରାତଃ ସମୟରୁ ମଙ୍ଗଳ ଆଳତି ଓ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ମା’ଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇ ବିଭିନ୍ନ ପ୍ରକାର ଫୁଲହାରରେ ସୁସଜ୍ଜିତ କରାଯାଇଥିଲା।
ପରେ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ସମୟରେ ସ୍ୱତନ୍ତ୍ର ଭାବେ ପଣା ଭୋଗ ଅର୍ପଣ କରାଯାଇଥିଲା।
ସନ୍ଧ୍ୟାରେ ମା’ଙ୍କ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିବା ବେଳେ, ରାତ୍ରିରେ ରାତ୍ରଧୂପ ନୀତି ସମ୍ପନ୍ନ ହେବା ପରେ ପହଡ଼ ନୀତି ଅନୁଷ୍ଠିତ ହେବ।
ପାର୍ଶ୍ୱ ପରିବର୍ତ୍ତନ ବଡ଼ ଏକାଦଶୀ ଓ ମଙ୍ଗଳବାରର ଏହି ବିଶେଷ ଅବସରରେ ମା’ ତାରେଣୀଙ୍କ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।



