‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ
ଢେଙ୍କାନାଳ/ସପ୍ତଶଯ୍ୟା: ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅବସରରେ ସଦରବ୍ଲକ୍ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସପ୍ତଶଯ୍ୟା ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ୱଚ୍ଛ ପରିବେଶ ଓ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ବିଦ୍ୟାଳୟର କର୍ମଚାରୀମାନଙ୍କ ସହ ମାଇ ଭାରତର କର୍ମଚାରୀମାନେ ମଧ୍ୟ ସାମିଲ ହୋଇ ସାମୂହିକ ଭାବେ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ‘ସମସ୍ତେ ମିଳିମିଶି ସଫା କରିଲେ ଆମ ପରିବେଶ ସୁନ୍ଦର ରହିବ’ ବାର୍ତ୍ତା ନେଇ ବିଦ୍ୟାଳୟ ପରିସରର ବିଭିନ୍ନ ସ୍ଥାନରେ ସଫେଇ କରାଯାଇଥିଲା।
ସଫେଇ ସମୟରେ ଏଣେତେଣେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଂଗ୍ରହ କରାଯାଇ ଏକ ସ୍ଥାନରେ ଏକାଠି କରାଯାଇଥିଲା। ସଫେଇ କାର୍ଯ୍ୟକ୍ରମର ଫଟୋ ମଧ୍ୟ ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ସ୍ୱଚ୍ଛତା କେବଳ ଏକ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମକୁ ସଫଳ ଓ ସୁସଂଗଠିତ କରିବାରେ ସଦରବ୍ଲକ୍ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ଏବଂ ମାଇ ଭାରତର କର୍ମଚାରୀମାନଙ୍କର ପୂର୍ଣ୍ଣ ସହଯୋଗ ରହିଥିଲା। ସାମୂହିକ ପ୍ରୟାସ ମାଧ୍ୟମରେ ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହିତ ସ୍ୱଚ୍ଛତା ପ୍ରତି ସମସ୍ତଙ୍କ ଦାୟିତ୍ୱବୋଧ ବୃଦ୍ଧି କରିବାକୁ ଆହ୍ୱାନ ଦିଆଯାଇଥିଲା।
