Spread the love

ଗାନ୍ଧୀ ଜୟନ୍ତୀରେ ଅନୁଗୋଳରେ ବିଜେଡିର ଜନସମ୍ପର୍କ ଅଭିଯାନ ଆରମ୍ଭ

ଶୋଭାଯାତ୍ରା ପରେ ଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଅନୁଗୋଳ: ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଗୋଳ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ଅଭିଯାନ ଆରମ୍ଭ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇଥିଲେ।

ଜିଲ୍ଲା ବିଜେଡି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଶିମିଳିପଡ଼ା ପରିକ୍ରମା କରିଥିଲା। ଏହାପରେ ଦଳୀୟ ନେତା ଓ କର୍ମୀମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ବିଜୁ ମଇଦାନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟ ବିଜେଡି ପରିଷଦ ସଦସ୍ୟ ମହେନ୍ଦ୍ର ବସ୍ତିଆ, ରାଜ୍ୟ ସମ୍ପାଦକ ବିପ୍ଳବ ଜେନା, ଯୁବ ବିଜେଡି ସଭାପତି ଅରୁଣାଭ ସିଂହ, ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ନଗର ବିଜେଡି ସଭାପତି ବୃନ୍ଦାବନ ସ୍ୱାଇଁଙ୍କ ସମେତ ବିଭିନ୍ନ ସ୍ତରର ନେତା ଓ ପଦାଧିକାରୀ ଉପସ୍ଥିତ ଥିଲେ।

ଏଥିସହ ଯୁବ, ଛାତ୍ର ଓ ମହିଳା ବିଜେଡିର ପଦାଧିକାରୀ, ବ୍ଲକ ଓ ନଗର କମିଟିର ସଦସ୍ୟ, କାଉନସିଲର, ଜିଲ୍ଲା ପରିଷଦ ସଦସ୍ୟ ଓ ବହୁ ଦଳୀୟ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଦଳ ପକ୍ଷରୁ କୁହାଯାଇଛି ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ବିଜୁ ପଟ୍ଟନାୟକଙ୍କ ଜନସେବାର ଚିନ୍ତାଧାରାକୁ ସ୍ମରଣ କରିବା ସହ ଲୋକଙ୍କ ସହ ଯୋଗାଯୋଗ ବଢ଼ାଇବା ଉଦ୍ଦେଶ୍ୟରେ ଏହି ଜନସମ୍ପର୍କ ଅଭିଯାନ ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *