Spread the love

ଭାରତ-ସ୍ୱିଜରଲ୍ୟାଣ୍ଡ ସମ୍ପର୍କରେ ନୂଆ ଅଧ୍ୟାୟ, ଏକାଧିକ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ, ୫/୧୦: ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ଦିଗରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଛି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାର୍ମେଲିନଙ୍କ ମଧ୍ୟରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି।

ପରିବହନ ପ୍ରଯୁକ୍ତି, ମୋବିଲିଟି ବ୍ୟବସ୍ଥା ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଭାରତ ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ବୁଝାମଣା ହୋଇଛି। ଏଥିସହ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ସ୍ୱିସ୍ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ ସହ ଏକ ‘ଲେଟର ଅଫ୍ ଇଣ୍ଟେଣ୍ଟ’ ମଧ୍ୟ ସ୍ୱାକ୍ଷର କରାଯାଇଛି।

ସେହିପରି ଜୁରିଖ ୟୁନିଭର୍ସିଟି ଅଫ୍ ଆପ୍ଲାଏଡ୍ ସାଇନ୍ସେସ୍ ସହ ନବସୃଜନ, ପ୍ରଯୁକ୍ତି ହସ୍ତାନ୍ତର ଓ ଉଦ୍ୟମିତା କ୍ଷେତ୍ରରେ ସହଯୋଗ ପାଇଁ ଏକ ‘ଇମ୍ପ୍ଲିମେଣ୍ଟେସନ୍ ଆରେଞ୍ଜମେଣ୍ଟ’ ସ୍ୱାକ୍ଷରିତ ହୋଇଛି।

ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସ୍ୱିଜରଲ୍ୟାଣ୍ଡରେ ଭାରତୀୟ ରପ୍ତାନି ପାଇଁ ବଜାର ପ୍ରବେଶକୁ ସୁଗମ କରିବା ଏବଂ ଦୁଇ ଦେଶ ମଧ୍ୟରେ ନିବେଶ ପ୍ରକ୍ରିୟାକୁ ଆହୁରି ସରଳ କରିବା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏହି ପଦକ୍ଷେପ ଦୁଇ ଦେଶର ଅର୍ଥନୈତିକ ଓ ପ୍ରଯୁକ୍ତିଗତ ସହଭାଗିତାକୁ ଆହୁରି ଗଭୀର କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *