ରାଜ୍ୟସଭା ଟିକେଟ୍ରେ ବିଜେପିର ବଡ଼ ପରିବର୍ତ୍ତନ, ବାଦ୍ ପଡ଼ିଲେ ୮ ବର୍ତ୍ତମାନର ସାଂସଦ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରୁ ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପି ନେଇଛି ବଡ଼ ନିଷ୍ପତ୍ତି। ଦଳ ପକ୍ଷରୁ ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ତାଲିକାରେ କୌଣସି ବର୍ତ୍ତମାନର ସାଂସଦଙ୍କୁ ସ୍ଥାନ ମିଳିନାହିଁ। ଏହାକୁ ଦଳର ରଣନୀତିରେ ବଡ଼ ପରିବର୍ତ୍ତନ ବୋଲି ଦେଖାଯାଉଛି।
ବିଜେପିର ନୂଆ ପ୍ରାର୍ଥୀ ତାଲିକାରେ ଧର୍ମପାଲ ସିଂହ, ରାଧାକାନ୍ତ ଓଝା, ପ୍ରକାଶ ପାଲ, ବିଦ୍ୟାସାଗର ସୋନକର, ଗୋପୀ କୃଷ୍ଣ ପାଣ୍ଡେ, ପ୍ରିୟଙ୍କା ସିଂହ ରାୱତ, ରାମ ପ୍ରତାପ ସିଂହ ଚୌହାନ ଏବଂ ଶ୍ରୁତି ଗଙ୍ଗୱାରଙ୍କ ନାମ ରହିଛି।
ଅନ୍ୟପକ୍ଷରେ, ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଥିବା ବିଜେପିର ବର୍ତ୍ତମାନର ସାଂସଦମାନଙ୍କ ମଧ୍ୟରେ ହରଦୀପ ସିଂହ ପୁରୀ, ବିଏଲ ବର୍ମା, ଅରୁଣ ସିଂହ, ନୀରଜ ଶେଖର, ଗୀତା ଶାକ୍ୟ, ବ୍ରଜଲାଲ ଓ ସୀମା ଦ୍ୱିବେଦୀଙ୍କ ସମେତ ୮ ଜଣଙ୍କୁ ପୁନଃ ଟିକେଟ୍ ମିଳିନାହିଁ।
୨୦୨୭ ନିର୍ବାଚନ ଉପରେ ନଜର
ବିଜେପିର ଏହି ନିଷ୍ପତ୍ତି ପଛରେ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରଣନୀତି ଥିବା ଚର୍ଚ୍ଚା ହେଉଛି। ନୂଆ ଚେହେରାଙ୍କୁ ସୁଯୋଗ ଦେବା ସହ ଦଳ ସାମାଜିକ ଓ ଜାତିଗତ ସମୀକରଣକୁ ମଧ୍ୟ ସନ୍ତୁଳିତ କରିବାକୁ ଉଦ୍ୟମ କରିଥିବା କୁହାଯାଉଛି।
ବିଶେଷକରି ଓବିସି ଓ ଦଳିତ ସମୁଦାୟର ପ୍ରତିନିଧିତ୍ୱ ଉପରେ ଏଥର ଗୁରୁତ୍ୱ ଦିଆଯାଇଛି। ସମାଜବାଦୀ ପାର୍ଟିର ‘ପିଡିଏ’ ରାଜନୀତିକୁ ମୁକାବିଲା କରିବା ଦିଗରେ ଏହା ବିଜେପିର ଏକ ରଣନୈତିକ ପଦକ୍ଷେପ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
୧୦ ଆସନ, ବିଜେପିର ଖାତାକୁ ଯାଇପାରେ ୮
ଉତ୍ତର ପ୍ରଦେଶରୁ ଖାଲି ହେବାକୁ ଥିବା ୧୦ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନୀ ପ୍ରକ୍ରିୟା ଚାଲିଛି। ବିଧାନସଭାରେ ସଂଖ୍ୟାବଳ ଦୃଷ୍ଟିରୁ ବିଜେପି ୮ଟି ଆସନରେ ବିଜୟୀ ହେବାର ସ୍ଥିତିରେ ଥିବାବେଳେ ସମାଜବାଦୀ ପାର୍ଟି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।
ତେବେ ହରଦୀପ ସିଂହ ପୁରୀ ଓ ବିଏଲ ବର୍ମାଙ୍କ ଭଳି କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ପୁନଃ ରାଜ୍ୟସଭା ଟିକେଟ୍ ନମିଳିବା ଏବେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ପ୍ରଭାବ ଆଗାମୀ ଦିନରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ପଡ଼ିପାରେ ଏବଂ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବାର ସମ୍ଭାବନା ନେଇ ଚର୍ଚ୍ଚା ଜୋର ଧରିଛି।
