ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’:
ଲୋକସେବା ଭବନରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଲେ ମୁଖ୍ୟ ଶାସନ ସଚିବ
ଭାରତ ସରକାରଙ୍କ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ୧୭ ଅକ୍ଟୋବରରୁ ୧୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ “ସ୍ୱଚ୍ଛତା ହିଁ ସେବା ଅଭିଯାନ” ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ “ସ୍ୱଚ୍ଛତା ଶପଥ” ପାଠ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଲୋକସେବା ଭବନସ୍ଥିତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରାଙ୍ଗଣରେ ସମବେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ। ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛତାର ବାର୍ତ୍ତା, ନିଜକୁ ସ୍ୱଚ୍ଛତା ପ୍ରତି ସଦା ସମର୍ପିତ ରଖିବା, ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ଏବଂ ଏଥିପାଇଁ ନିଜେ ସମୟ ଦେବା ଆଦି ପ୍ରସଙ୍ଗରେ ଅଧିକାରୀ ଓ କର୍ମଚାରୀମାନେ ଶପଥ ଗ୍ରହଣ କରିଥିଲେ।
ଏହା ପରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସହିତ ଅଧିକାରୀ ଓ କର୍ମଚାରୀମାନେ ଆୟୋଜିତ “ସ୍ୱଚ୍ଛତା ହିଁ ସେବା ଅଭିଯାନ” ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
