GST ନିୟମରେ ଆସିପାରେ ବଡ଼ ସଂସ୍କାର, ଗିରଫଠାରୁ ଅପରାଧିକ ମାମଲା—ବଦଳିପାରେ ଅନେକ ନିୟମ
ନୂଆଦିଲ୍ଲୀ: ଟିକସଦାତା ଓ ବ୍ୟବସାୟୀଙ୍କ ପାଇଁ GST ବ୍ୟବସ୍ଥାରେ ଆସିପାରେ ବଡ଼ ପରିବର୍ତ୍ତନ। ଆଜି ବସିବାକୁ ଥିବା GST ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଟିକସ ପ୍ରକ୍ରିୟାକୁ ସରଳ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନର ନିୟମରେ ସଂସ୍କାର ଆଣିବା ନେଇ ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ।
ବୈଠକରେ ସବୁଠାରୁ ଚର୍ଚ୍ଚିତ ପ୍ରସ୍ତାବ ହେଉଛି GST ଅଧିକାରୀଙ୍କ ଗିରଫ କ୍ଷମତାରେ ପରିବର୍ତ୍ତନ। ପ୍ରସ୍ତାବ ଅନୁଯାୟୀ, କେବଳ GST ଅଧିକାରୀଙ୍କ ନିଷ୍ପତ୍ତିରେ ଗିରଫ କରିବା ପରିବର୍ତ୍ତେ ଏଥିପାଇଁ ନ୍ୟାୟିକ ଅନୁମତିକୁ ବାଧ୍ୟତାମୂଳକ କରାଯାଇପାରେ। ଯଦି ଏହା ମଞ୍ଜୁର ହୁଏ, ତେବେ ଟିକସଦାତାଙ୍କ ବିରୋଧରେ ଗିରଫ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ଆସିପାରେ।
୧ କୋଟିରୁ ୫ କୋଟି ହୋଇପାରେ ସୀମା
GST ସମ୍ବନ୍ଧୀୟ ଅପରାଧିକ ମାମଲା ଆରମ୍ଭ କରିବାର ଆର୍ଥିକ ସୀମା ବଢ଼ାଇବା ନେଇ ମଧ୍ୟ ବିଚାର ହୋଇପାରେ। ବର୍ତ୍ତମାନର ୧ କୋଟି ଟଙ୍କା ସୀମାକୁ ୫ କୋଟି ଟଙ୍କା କରିବା ପ୍ରସ୍ତାବ ରହିଛି। ଏହା ସହ କେଉଁ ପ୍ରକାର GST ଉଲ୍ଲଂଘନରେ ଅପରାଧିକ ମାମଲା ହେବ, ସେହି ପରିସରକୁ ସୀମିତ କରିବା ନେଇ ମଧ୍ୟ ଆଲୋଚନା ହୋଇପାରେ।
ସଚ୍ଚୋଟ କ୍ରେତାଙ୍କୁ ITC ସୁରକ୍ଷା!
GST ସଂସ୍କାର ପ୍ରସ୍ତାବରେ ନିୟମ ପାଳନ କରୁଥିବା କ୍ରେତାଙ୍କ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ITC) ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ମିଳିପାରେ। ବିକ୍ରେତାଙ୍କ ତ୍ରୁଟି କିମ୍ବା ଅନିୟମିତତା ପାଇଁ ସଚ୍ଚୋଟ ଭାବେ GST ନିୟମ ପାଳନ କରୁଥିବା କ୍ରେତା ଯେପରି ଅଯଥା କ୍ଷତିର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ନିୟମରେ ପରିବର୍ତ୍ତନର ପ୍ରସ୍ତାବ ରହିଛି।
ଏହା ବ୍ୟତୀତ ଛୋଟ ଅନଲାଇନ୍ ବିକ୍ରେତାଙ୍କ ପାଇଁ GST ପଞ୍ଜୀକରଣକୁ ଅଧିକ ସରଳ କରିବା, ଛୋଟ ରାଶିର ଟିକସ ବିବାଦ ଓ ମାମଲା କମାଇବା ନେଇ ମଧ୍ୟ ପରିଷଦ ବିଚାର କରିପାରେ।
ତେବେ ଏସବୁ ପରିବର୍ତ୍ତନ ଏବେ ପ୍ରସ୍ତାବ ସ୍ତରରେ ରହିଛି। ଆଜିର GST ପରିଷଦ ବୈଠକରେ କେଉଁ ପ୍ରସ୍ତାବ ଉପରେ ମୋହର ବାଜୁଛି, ତାହା ଉପରେ ଟିକସଦାତା, ବ୍ୟବସାୟୀ ଓ ଶିଳ୍ପ ମହଲର ନଜର ରହିଛି।

