ଓଏଏସ୍ ସ୍ତରରେ ବଡ଼ ଅଦଳବଦଳ, ୪ ବରିଷ୍ଠ ଅଧିକାରୀଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଅକ୍ଟୋବର ୮ ତାରିଖରେ ଜାରି ସରକାରୀ ବିଜ୍ଞପ୍ତି ଅନୁସାରେ, ଚାରି ଜଣ ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ସମ୍ପର୍କରେ ନୂଆ ନିଷ୍ପତ୍ତି ନିଆଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ଅତିରିକ୍ତ ଶାସନ ସଚିବ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପଦବୀରେ ପରିବର୍ତ୍ତନ ହୋଇଛି।
ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ତ୍ରିଲୋଚନ ମହାନ୍ତି, ଗୀତାଞ୍ଜଳି ନାୟକ, ନିବେଦିତା ବିଶ୍ୱାଳ ଓ କୁକୁମିନା ଦାସଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି।
କାହାକୁ ମିଳିଲା କେଉଁ ଦାୟିତ୍ୱ?
ତ୍ରିଲୋଚନ ମହାନ୍ତି: ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ପଦରୁ ତାଙ୍କୁ ବଦଳି କରାଯାଇ ଭୁବନେଶ୍ୱରସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆରଓଟିଆଇ)ର ଯୁଗ୍ମ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି।
ଗୀତାଞ୍ଜଳି ନାୟକ: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ପଦରୁ ତାଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗକୁ ବଦଳି କରାଯାଇଛି। ସେଠାରେ ସେ ଅତିରିକ୍ତ ଶାସନ ସଚିବ ଭାବେ କାର୍ଯ୍ୟ କରିବେ।
ନିବେଦିତା ବିଶ୍ୱାଳ: ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ତାଙ୍କ ପୂର୍ବ ବଦଳି ଆଦେଶକୁ ବାତିଲ କରାଯାଇଛି। ଏବେ ତାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱ ଦିଆଯାଇଛି।
କୁକୁମିନା ଦାସ: ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳସଚିବ କୁକୁମିନା ଦାସଙ୍କୁ ବାରିପଦାସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପୁନର୍ବାସ ଓ ପୁନଃଥଇଥାନ (ଆର୍ ଆଣ୍ଡ ଆର୍) ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।
ପ୍ରଶାସନିକ କାର୍ଯ୍ୟକ୍ରମକୁ ଗତି ଦେବା ଲକ୍ଷ୍ୟ
ଏହି ଅଦଳବଦଳ ଫଳରେ ବିଭିନ୍ନ ବିଭାଗରେ ଦାୟିତ୍ୱ ବଣ୍ଟନରେ ପରିବର୍ତ୍ତନ ହୋଇଛି। ନୂତନ ଦାୟିତ୍ୱ ପାଇଥିବା ଅଧିକାରୀମାନେ ନିଜ ଅଭିଜ୍ଞତାକୁ ଉପଯୋଗ କରି ବିଭାଗୀୟ କାର୍ଯ୍ୟରେ ଅଧିକ ଗତି ଆଣିବେ ବୋଲି ଆଶା କରାଯାଉଛି।
ଜାଗ୍ରତ ଭାରତ ନ୍ୟୁଜ୍
