ଭୁବନେଶ୍ୱର: ୧୦.୧୦.୨୦୨୬
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ର ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ। ଜ୍ଞାତ ଆୟଠାରୁ ୨୦୪% ଅଧିକ ସମ୍ପତ୍ତି ଠାବ; ଯେଉଁଥିରେ ଭୁବନେଶ୍ୱରରେ ୪ଟି ବହୁତଳ କୋଠା ଓ ୧ଟି ଫ୍ଲାଟ୍, ୭ଟି ବହୁମୂଲ୍ୟ ପ୍ଲଟ୍, ୨୧୨ ଗ୍ରାମ ସୁନା, ₹୧.୪୬ କୋଟି ଟଙ୍କାର ଜମା ଏବଂ ନଗଦ ₹୧.୨୯ ଲକ୍ଷ ଟଙ୍କା ସାମିଲ।
ଆଜି ଅର୍ଥାତ୍ ୧୦.୧୦.୨୦୨୬ ରିଖରେ, ସୁନ୍ଦରଗଡ଼ର ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କୁ ଜ୍ଞାତ ଆୟଠାରୁ ୨୦୪% ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଏବଂ ଏହାର ସନ୍ତୋଷଜନକ ହିସାବ ଦେଇ ନ ପାରିବା କାରଣରୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇ ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସୁନ୍ଦରଗଡ଼ଙ୍କ କୋର୍ଟକୁ ଚାଲାଣ କରାଯାଇଛି। ଏହି ସଂକ୍ରାନ୍ତରେ, ପ୍ରସନ୍ନ କୁମାର ପାତ୍ର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ରାଉରକେଲା ଭିଜିଲାନ୍ସ ଥାନା କେସ୍ ନଂ ୧୩, ତାରିଖ ୧୦.୧୦.୨୦୨୬, ଧାରା 13(2) r/w 13(1)(b)/12 PC Amendment Act, 2018 ଅଧୀନରେ ମାମଲା ରୁଜୁ କରାଯାଇଛି।
ଘର ଚଢ଼ାଉ ବେଳେ ପ୍ରସନ୍ନ କୁମାର ପାତ୍ର ଓ ତାଙ୍କ ପରିବାରବର୍ଗଙ୍କ ନାମରେ କୋଟି କୋଟି ଟଙ୍କାର ନିମ୍ନଲିଖିତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି:
- ଭୁବନେଶ୍ୱରସ୍ଥିତ ମଞ୍ଚନାଥ ଭିଲ୍ଲାର ଫେଜ୍-୨, M-105 ଠାରେ ପ୍ରାୟ ୨୪୦୦ ବର୍ଗଫୁଟର ଗୋଟିଏ ଦୁଇ ମହଲା କୋଠା।
- ଭୁବନେଶ୍ୱରସ୍ଥିତ ମଞ୍ଚନାଥ ଭିଲ୍ଲାର ଫେଜ୍-୨, M-110 ଠାରେ ପ୍ରାୟ ୨୪୦୦ ବର୍ଗଫୁଟର ଆଉ ଗୋଟିଏ ଦୁଇ ମହଲା କୋଠା।
- ଭୁବନେଶ୍ୱରସ୍ଥିତ ମଞ୍ଚନାଥ ଭିଲ୍ଲାର ଫେଜ୍-୨, M-115 ଠାରେ ପ୍ରାୟ ୨୪୦୦ ବର୍ଗଫୁଟର ଅନ୍ୟ ଏକ ଦୁଇ ମହଲା କୋଠା।
- ଭୁବନେଶ୍ୱରର ବାଲିଅନ୍ତା ଠାରେ ଶ୍ରୀ ପାତ୍ରଙ୍କର ପ୍ରାୟ ୩୦୦୦ ବର୍ଗଫୁଟର ଏକ ଆବାସିକ ଦୁଇ ମହଲା କୋଠା।
- ଭୁବନେଶ୍ୱରର ନୟାପଲ୍ଲୀ ଠାରେ ପ୍ରାୟ ୧୧୫୦ ବର୍ଗଫୁଟର ଗୋଟିଏ 3-BHK ଫ୍ଲାଟ୍।
- ଭୁବନେଶ୍ୱରରେ ଏକ ଫ୍ଲାଟ୍ କିଣିବା ପାଇଁ ରିଅଲଟରଙ୍କୁ ଶ୍ରୀ ପାତ୍ରଙ୍କ ଦ୍ୱାରା ₹୨୯.୫୦ ଲକ୍ଷ ଟଙ୍କାର ଅଗ୍ରିମ ପ୍ରଦାନ।
- ଭୁବନେଶ୍ୱର ଉପକଣ୍ଠରେ ୭ଟି ବହୁମୂଲ୍ୟ ପ୍ଲଟ୍।
- ନଗଦ ₹୧,୨୯,୫୦୦/- ଟଙ୍କା।
- ପ୍ରାୟ ୨୧୨ ଗ୍ରାମର ସୁନା ଅଳଙ୍କାର।
- ବ୍ୟାଙ୍କ ତଥା ଅନ୍ୟାନ୍ୟ ଜମା ₹୧,୪୬,୧୬,୯୧୬/- ଟଙ୍କା।
- ୩ଟି ଦୁଇଚକିଆ ଯାନ।
- ପ୍ରାୟ ₹୭.୭୨ ଲକ୍ଷ ଟଙ୍କାର ଘରୋଇ ଉପକରଣ।
ଚଢ଼ାଉ, ସମ୍ପତ୍ତି ତାଲିକା ଏବଂ ପରବର୍ତ୍ତୀ ତଦନ୍ତ ପରେ ସୁନ୍ଦରଗଡ଼ର ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ଆୟ, ବ୍ୟୟ ଓ ସମ୍ପତ୍ତିର ହିସାବ କରାଯାଇଥିଲା ଏବଂ ତାଙ୍କ ପାଖରେ ଜ୍ଞାତ ଆୟ ଉତ୍ସଠାରୁ ୨୦୪% ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡ଼ିଥିଲା।
ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
