ବଅଁରପାଳ କଲେଜ ଛାତ୍ର ସଂସଦ ନିର୍ବାଚନ: ୧୨ ନାମାଙ୍କନ ରଦ୍ଦ, ମଇଦାନରେ ୬ ପ୍ରାର୍ଥୀ
ବଅଁରପାଳ: ପାଞ୍ଚଗଡ଼ ସୋମନାଥ ସିଂହ ଜଗଦ୍ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନାମାଙ୍କନ ଦାଖଲ ଶେଷ ହେବା ପରେ ବିଭିନ୍ନ ପଦବୀ ପାଇଁ ମୋଟ ୨୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ କାଗଜପତ୍ର ଯାଞ୍ଚ ପରେ ୧୨ଟି ପ୍ରାର୍ଥିପତ୍ର ଖାରଜ ହୋଇଥିବା ବେଳେ ୨ ଜଣ ପ୍ରାର୍ଥୀ ନିଜ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ଚୂଡ଼ାନ୍ତ ତାଲିକାରେ ମାତ୍ର ୬ ଜଣ ବୈଧ ପ୍ରାର୍ଥୀ ରହିଛନ୍ତି।
ସଭାପତି ପଦ ପାଇଁ ଅର୍ପିତା ମାଝୀ ଓ ଅଙ୍କିତା ପଟ୍ଟନାୟକ ମୁହାଁମୁହିଁ ହେଉଥିବା ବେଳେ ଉପସଭାପତି ପାଇଁ ଶୁଭଙ୍କର ସାହୁ ଓ ପ୍ରୀତେଶ ନାଏକ ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ବାଦଲ ସେଠୀ ଓ ପ୍ରସାଦ ବେହେରାଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହେବ। ଅନ୍ୟପଟେ ନାଟ୍ୟ ସଂସଦ ସମ୍ପାଦକ ପଦ ପାଇଁ ମନସ୍ୱିନୀ ଢୋଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପରିଚାଳନା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବଅଁରପାଳ ଥାନା ପକ୍ଷରୁ କଲେଜ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
