### ବାଲ୍ୟ ବିବାହ ରୋକିବାକୁ ଅନୁଗୋଳ ପୋଲିସର ସଚେତନତା ଅଭିଯାନ, ବାଳିକାଙ୍କ ଅଧିକାର ସୁରକ୍ଷା ପାଇଁ ଶପଥ
ଅନୁଗୋଳ: ବାଳିକାମାନଙ୍କ ଅଧିକାରର ସୁରକ୍ଷା, ବାଲ୍ୟ ବିବାହର ମୂଳୋତ୍ପାଟନ ଏବଂ ଶିଶୁ ନିର୍ଯାତନା ରୋକିବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ ଆନ୍ତର୍ଜାତୀୟ ବାଳିକା ଦିବସ-୨୦୨୬ ପାଳନ କରାଯାଇଛି। ‘ଜୁଭେଣ୍ଟିକା’ ଆଉଟରିଚ୍ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି ଅଭିଯାନରେ ବାଳିକାମାନଙ୍କ ସୁରକ୍ଷା, ସମ୍ମାନ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଚଳିତ ବର୍ଷର ବିଷୟବସ୍ତୁ ‘ବାଲ୍ୟ ବିବାହର ଅନ୍ତ ଏବଂ ବାଳିକାମାନଙ୍କ ଅଧିକାରରେ ନିବେଶ’କୁ ଆଧାର କରି ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଅନୁଗୋଳ ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଜନସାଧାରଣଙ୍କୁ ବାଳିକାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ। ପରେ ଶୋଭାଯାତ୍ରା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲା।
ତାଳଚେରସ୍ଥିତ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ ପୋଲିସ ଅଧିକାରୀ, ଶିକ୍ଷକ ଏବଂ ଶିଶୁ ଅଧିକାର କର୍ମୀମାନେ ଯୋଗଦେଇଥିଲେ। ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ଦୂର କରିବା ସହ ଶିଶୁ ନିର୍ଯାତନା ବିରୋଧରେ ସମସ୍ତେ ଏକଜୁଟ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ବାଲ୍ୟ ବିବାହ ରୋକିବା, ଶିଶୁ ନିର୍ଯାତନାର ଅନ୍ତ ଘଟାଇବା ଏବଂ ବାଳିକାମାନଙ୍କ ଅଧିକାର, ସମ୍ମାନ ଓ ଭବିଷ୍ୟତର ସୁରକ୍ଷା ପାଇଁ ଉପସ୍ଥିତ ସମସ୍ତେ ଶପଥ ନେଇଥିଲେ।
ପ୍ରତ୍ୟେକ ଶିଶୁଙ୍କୁ ଏକ ସୁରକ୍ଷିତ, ସମ୍ମାନଜନକ ଓ ସଶକ୍ତ ପରିବେଶ ଯୋଗାଇଦେବା ପାଇଁ ଅନୁଗୋଳ ପୋଲିସ ନିଜର ପ୍ରତିବଦ୍ଧତା ଦୋହରାଇଥିଲା। ବାଳିକାମାନଙ୍କ ଉନ୍ନତି ଓ ଅଧିକାର ସୁରକ୍ଷା ଦିଗରେ ସମାଜର ସମସ୍ତ ବର୍ଗଙ୍କ ସହଯୋଗ ଅପରିହାର୍ଯ୍ୟ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।
