Spread the love

ଗ୍ୱାଲିୟରରେ ହୃଦୟବିଦାରକ ଦୁର୍ଘଟଣା: ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୧୩ ମୃତ; ୩୩ ଆହତ

ଗ୍ୱାଲିୟର, ୧୮ ଅକ୍ଟୋବର: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଘଟିଛି ଏକ ଛାତିଥରା ଦୁର୍ଘଟଣା। ଶୀତଲା ମାତା ମନ୍ଦିର ରାସ୍ତାରେ ଶ୍ରଦ୍ଧାଳୁଙ୍କ ଉପରେ ଦ୍ରୁତଗତିରେ ମାଡ଼ିଯାଇଛି ଏକ ଟ୍ରକ୍। ଏହି ଦୁର୍ଘଟଣାରେ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ଦୁଇଜଣ ପୁଲିସ କର୍ମଚାରୀ ମଧ୍ୟ ରହିଛନ୍ତି।

ପାଚେରି ଭାଙ୍ଗି ଚାପି ହୋଇଗଲେ ଶ୍ରଦ୍ଧାଳୁ

ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇ ମନ୍ଦିରର ବାହାର ପାଚେରିକୁ ଧକ୍କା ଦେଇଥିଲା। ଧକ୍କାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ପାଚେରି ଭୁଶୁଡ଼ି ପଡ଼ିଥିଲା। ଏହାପରେ ଟ୍ରକ୍‌ଟି ରାସ୍ତାରେ ଥିବା ଶ୍ରଦ୍ଧାଳୁଙ୍କୁ ଧକ୍କା ଦେବା ସହ ଅନେକ ଦୋକାନକୁ ମଧ୍ୟ କ୍ଷତିଗ୍ରସ୍ତ କରିଥିଲା।

ପାଚେରି ଭୁଶୁଡ଼ିବା ପରେ ମାଟି ଓ ଭଗ୍ନାବଶେଷ ତଳେ ପ୍ରାୟ ୪୦ରୁ ୫୦ ଜଣ ଫସି ରହିଥିବା ସୂଚନା ମିଳିଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଫସି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ।

ଅତ୍ୟଧିକ ବୋଝେଇ ଥିଲା ଟ୍ରକ୍!

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ହଠାତ୍ ଦ୍ରୁତଗତିରେ ଆସିଥିବା ଟ୍ରକ୍‌ଟି ଲୋକଙ୍କୁ ଧକ୍କା ଦେଇ ଆଗକୁ ମାଡ଼ିଯାଇଥିଲା। ଟ୍ରକ୍‌ରେ କ୍ଷମତାଠାରୁ ଅଧିକ ସାମଗ୍ରୀ ବୋଝେଇ ହୋଇଥିବା ସେ ଦାବି କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରତ୍ୟକ୍ଷଦର୍ଶୀଙ୍କ ଭାଇ ମଧ୍ୟ ଆହତ ହୋଇଛନ୍ତି।

ହସ୍ପିଟାଲରେ ଚାଲିଛି ଚିକିତ୍ସା

ଦୁର୍ଘଟଣାରେ ଆହତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି। ଡାକ୍ତର ସୁଧୀର ସକ୍ସେନାଙ୍କ ସୂଚନା ଅନୁସାରେ, ତାଙ୍କ ହସ୍ପିଟାଲରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ରୁ ୫ ଜଣ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଏହି ମର୍ମନ୍ତୁଦ ଘଟଣା ପରେ ଅଞ୍ଚଳରେ ଶୋକ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଟ୍ରକ୍‌ଟି କେଉଁ ପରିସ୍ଥିତିରେ ନିୟନ୍ତ୍ରଣ ହରାଇଲା ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *