Spread the love

### କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬ କାର୍ଯ୍ୟକାରିତା ନେଇ ରାଜ୍ୟସ୍ତରୀୟ ପ୍ରଥମ ବୈଠକ

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଲୋଚନା; ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସେଲ୍ ଗଠନ ଓ ବର୍ଜ୍ୟ ପରିଚାଳନା ପାଇଁ ଜମି ଚିହ୍ନଟ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୬: କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬ର ପ୍ରଭାବୀ କାର୍ଯ୍ୟାନ୍ୱୟନ ଏବଂ ରାଜ୍ୟରେ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟରେ ରାଜ୍ୟସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବର୍ଜ୍ୟବସ୍ତୁର ସୁପରିଚାଳନା, ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ ଏବଂ ଜନସହଭାଗିତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ବୈଠକରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬ର ବିଭିନ୍ନ ବ୍ୟବସ୍ଥା, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ, ବିଭାଗୀୟ ଦାୟିତ୍ୱ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି) ପକ୍ଷରୁ ଆହୂତ ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ସମେତ କମିଟିର ସଦସ୍ୟ ଥିବା ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଓଏସ୍‌ପିସିବିର ସଦସ୍ୟ ସଚିବ ଡଃ ମନୋଜ ଭି. ନାୟାର ନିୟମର ବିଭିନ୍ନ ଦିଗ ଉପରେ ଉପସ୍ଥାପନା କରିଥିଲେ।

ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବର୍ଜ୍ୟ ପରିଚାଳନା ସ୍ଥିତିର ସମୀକ୍ଷା

ବୈଠକରେ ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନାର ବର୍ତ୍ତମାନ ସ୍ଥିତି ସମୀକ୍ଷା କରାଯାଇଥିଲା। ବର୍ଜ୍ୟବସ୍ତୁ ସଂଗ୍ରହ, ଉତ୍ସସ୍ଥଳରୁ ବର୍ଜ୍ୟ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ ଏବଂ ଅବଶିଷ୍ଟ ବର୍ଜ୍ୟର ସୁରକ୍ଷିତ ନିଷ୍କାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ଏଥିସହ ଡିଜିଟାଲ୍ ମାଧ୍ୟମରେ ତଦାରଖ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରିବା ଏବଂ ସମସ୍ତ ଅଂଶୀଦାରଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସୁପ୍ରିମକୋର୍ଟଙ୍କ ବିଭିନ୍ନ ନିର୍ଦ୍ଦେଶର ଅନୁପାଳନ ସୁନିଶ୍ଚିତ କରିବା ସହ ନିଜ ନିଜ ଜିଲ୍ଲାରେ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାର ସମନ୍ୱିତ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସେଲ୍ ଓ ସାନିଟାରୀ ଲ୍ୟାଣ୍ଡଫିଲ୍ ନିର୍ମାଣ ଉପରେ ଗୁରୁତ୍ୱ

ବର୍ଜ୍ୟ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର ସେଲ୍ ଗଠନ, ଆବଶ୍ୟକ ଜମି ଚିହ୍ନଟ, ସାନିଟାରୀ ଲ୍ୟାଣ୍ଡଫିଲ୍ ଏବଂ ବର୍ଜ୍ୟ ପ୍ରକ୍ରିୟାକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା। ଏଥିସହ ପୁରୁଣା ବର୍ଜ୍ୟ ଡମ୍ପିଂ ସ୍ଥଳଗୁଡ଼ିକର ବୈଜ୍ଞାନିକ ଉପଚାର ଏବଂ ବୃହତ୍ ବର୍ଜ୍ୟ ଉତ୍ପାଦନକାରୀମାନେ ନିୟମକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ବର୍ଜ୍ୟ ପରିଚାଳନା ସଚେତନତା

ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ବିଦ୍ୟାଳୟ ପାଠ୍ୟକ୍ରମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ସାମିଲ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ସ୍ଥାନୀୟ ବ୍ୟକ୍ତିବିଶେଷ, ଜନପ୍ରତିନିଧି, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ସାଧାରଣ ନାଗରିକଙ୍କ ସହଯୋଗରେ ବ୍ୟାପକ ଜନସଚେତନତା ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ନିୟମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ଓଏସ୍‌ପିସିବି ସମେତ ସମ୍ପୃକ୍ତ ସମସ୍ତ ସଂସ୍ଥା ମଧ୍ୟରେ ଘନିଷ୍ଠ ସମନ୍ୱୟ ଓ ନିୟମିତ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ କରିବା ସମସ୍ତ ନାଗରିକ, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସାମୂହିକ ଦାୟିତ୍ୱ। ତେଣୁ ନିୟମର ଅନୁପାଳନ ପାଇଁ ସମସ୍ତ ବର୍ଗର ସହଯୋଗ ଆବଶ୍ୟକ।

ଓଏସ୍‌ପିସିବି ପକ୍ଷରୁ ନିର୍ଦ୍ଧାରିତ ସମୟସୀମା ଅନୁସାରେ ସମ୍ପୃକ୍ତ ସମସ୍ତ ବିଭାଗ ଓ ଜିଲ୍ଲାପାଳମାନେ ନିୟମ ଅନୁପାଳନ ସମ୍ପର୍କିତ କାର୍ଯ୍ୟ ସମ୍ପନ୍ନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *