ନନ୍ଦନକାନନରୁ ଇଣ୍ଡୋନେସିଆ ଫେରିବେ ୫ ଓରାଙ୍ଗଉଟାନ୍ ଶାବକ!
ନଭେମ୍ବରରେ ଆସିବେ ୫ ଜଣିଆ ବିଶେଷଜ୍ଞ ଦଳ, ଅନ୍ତର୍ଜାତୀୟ ଚାଲାଣକାରୀଙ୍କ ପାଖରେ ପହଞ୍ଚିପାରିନି ଏସ୍ଟିଏଫ୍
ଭୁବନେଶ୍ୱର, ୨୩/୧୦: ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରାଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆସନ୍ତା ନଭେମ୍ବରରେ ଇଣ୍ଡୋନେସିଆରୁ ୫ ଜଣିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଦଳ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ, ଏତେ ଦିନ ପରେ ମଧ୍ୟ ଏହି ବିରଳ ବନ୍ୟପ୍ରାଣୀଙ୍କ ଚାଲାଣ ପଛରେ ଥିବା ଅଭିଯୁକ୍ତଙ୍କୁ ଧରିବାରେ ତଦନ୍ତକାରୀ ସଂସ୍ଥା ସଫଳ ହୋଇନାହିଁ।
ଗତ ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ଜାତୀୟ ଉଦ୍ୟାନରେ ରଖାଯାଇଛି। ସେଠାରେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା, ଖାଦ୍ୟ ଓ ସୁରକ୍ଷା ଯୋଗାଇ ଦିଆଯାଉଛି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ସମସ୍ତ ଶାବକ ସୁସ୍ଥ ଅଛନ୍ତି।
କୋଲକାତାରୁ ଦୀଘା ଦେଇ ଆସିଥିଲେ!
ଓରାଙ୍ଗଉଟାନ୍ ଶାବକମାନେ କେଉଁଠାରୁ ଏବଂ କିପରି ବିଚିତ୍ରପୁର ଜଙ୍ଗଲରେ ପହଞ୍ଚିଲେ, ସେନେଇ କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ତଦନ୍ତ ଜାରି ରଖିଛି। ତଦନ୍ତ ସମୟରେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଏହି ଶାବକମାନେ କୋଲକାତାରୁ ଦୀଘା ଦେଇ ବିଚିତ୍ରପୁର ଜଙ୍ଗଲକୁ ଆସିଥିବା ସୂଚନା ମିଳିଥିବା କୁହାଯାଉଛି।
ତେବେ ଏହି ଚାଲାଣ ପଛରେ କେଉଁ ବ୍ୟକ୍ତି ବା ଅନ୍ତର୍ଜାତୀୟ ଚାଲାଣକାରୀ ଗୋଷ୍ଠୀର ହାତ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏସ୍ଟିଏଫ୍ ତଦନ୍ତ ଜାରି ରହିଥିବା କହିଛି।
ପ୍ରଜାତି ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷା ଜରୁରୀ
ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ୍ଙ୍କ ପ୍ରକୃତ ପ୍ରଜାତି ଓ ଉତ୍ପତ୍ତି ସମ୍ପର୍କରେ ନିଶ୍ଚିତ ହେବା ପାଇଁ ଡିଏନ୍ଏ ପରୀକ୍ଷା ଆବଶ୍ୟକ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଏଯାଏଁ ସେମାନଙ୍କ ଡିଏନ୍ଏ ପରୀକ୍ଷା କରାଯାଇନଥିବା ଜଣାପଡ଼ିଛି। ଏହି ପରୀକ୍ଷା ଏବଂ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ପ୍ରତ୍ୟାବର୍ତ୍ତନ ନିଷ୍ପତ୍ତିରେ ଗୁରୁତ୍ୱ ବହନ କରିବ।
ପୂର୍ବରୁ ମଧ୍ୟ ଭାରତରୁ ଫେରିଛି ଓରାଙ୍ଗଉଟାନ୍
୨୦୨୪ ନଭେମ୍ବରରେ ଭାରତରୁ ଉଦ୍ଧାର ହୋଇଥିବା ସୁମାତ୍ରା ପ୍ରଜାତିର ଏକ ଓରାଙ୍ଗଉଟାନ୍ ଶାବକକୁ ନିକଟରେ ଇଣ୍ଡୋନେସିଆ ଫେରାଇ ନିଆଯାଇଛି। ଉଭୟ ଦେଶର ବନ୍ୟପ୍ରାଣୀ ସୁରକ୍ଷା ସଂସ୍ଥା ଏବଂ ବିଲୁପ୍ତପ୍ରାୟ ପ୍ରଜାତିର ଅନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀ (CITES) ସମ୍ପର୍କିତ କର୍ତ୍ତୃପକ୍ଷଙ୍କ ସମନ୍ୱିତ ପ୍ରୟାସରେ ଏହା ସମ୍ଭବ ହୋଇଥିଲା।
ସେହି ଅନୁଭବକୁ ଆଧାର କରି ନନ୍ଦନକାନନରେ ଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ମଧ୍ୟ ଆବଶ୍ୟକ ଆଇନଗତ ଔପଚାରିକତା ଓ ଅନ୍ତର୍ଜାତୀୟ ନିୟମ ପୂରଣ ପରେ ଇଣ୍ଡୋନେସିଆ ପଠାଯିବାର ସମ୍ଭାବନା ରହିଛି।
ଏବେ ସମସ୍ତଙ୍କ ନଜର ନଭେମ୍ବରରେ ଆସିବାକୁ ଥିବା ଇଣ୍ଡୋନେସିଆର ବିଶେଷଜ୍ଞ ଦଳ ଉପରେ। ଏହି ଗସ୍ତ ଓରାଙ୍ଗଉଟାନ୍ଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ଗତି ଦେବା ସହ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣ ମାମଲାର ତଦନ୍ତରେ ମଧ୍ୟ ନୂଆ ଦିଗ ଖୋଲିପାରେ।
