Spread the love

ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି: ଅଢ଼େଇ ବର୍ଷରୁ କମ୍ ସମୟରେ ୩.୫୨ ଲକ୍ଷ କୋଟିର ନିବେଶ

ଖଣିଭିତ୍ତିକ ଅର୍ଥନୀତିରୁ କେମିକାଲ୍ ଓ ପେଟ୍ରୋକେମିକାଲ୍ ହବ୍ ହେବାକୁ ଓଡ଼ିଶାର ଲକ୍ଷ୍ୟ

ମୁମ୍ବାଇ/ଭୁବନେଶ୍ୱର: ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଦ୍ରୁତଗତିରେ ଆଗକୁ ବଢ଼ୁଛି। ଗତ ଅଢ଼େଇ ବର୍ଷରୁ କମ୍ ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ ୨୦୦ଟି ଶିଳ୍ପ ପ୍ରତିଷ୍ଠାନ ସ୍ଥାପିତ ହୋଇଥିବାବେଳେ ଏଥିରେ ୩.୫୨ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି। ଓଡ଼ିଶାକୁ କେବଳ ଖଣିଭିତ୍ତିକ ଅର୍ଥନୀତିରେ ସୀମିତ ନରଖି କେମିକାଲ୍ ଓ ପେଟ୍ରୋକେମିକାଲ୍ ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁମ୍ବାଇର ବମ୍ବେ ଏକ୍ସିବିସନ୍ ସେଣ୍ଟରଠାରେ ଆୟୋଜିତ ‘ଇଣ୍ଡିଆ କେମ୍ ୨୦୨୬’ର ୧୪ତମ ସଂସ୍କରଣରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶିଳ୍ପ ସମ୍ଭାବନା ଓ ନିବେଶ ସୁଯୋଗ ସମ୍ପର୍କରେ ଉପସ୍ଥାପନ କରିଛନ୍ତି। ଭାରତର କେମିକାଲ୍ ଅର୍ଥନୀତିକୁ ୨୦୪୦ ସୁଦ୍ଧା ୧ ଟ୍ରିଲିୟନ୍ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ହାସଲରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏଥିସହ ଓଡ଼ିଶାରେ ନିବେଶ କରି ସମୃଦ୍ଧ ରାଜ୍ୟ ଗଠନରେ ଭାଗୀଦାର ହେବାକୁ ଶିଳ୍ପପତିମାନଙ୍କୁ ଆହ୍ୱାନ ଦେଇଛନ୍ତି।

ନିବେଶ ପ୍ରସ୍ତାବ ୨୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ଏପର୍ଯ୍ୟନ୍ତ ୨୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ମିଳିଛି। ସେଥିମଧ୍ୟରୁ ୧୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବକୁ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (HLCA) ଅନୁମୋଦନ କରିଛନ୍ତି।

ସେହିପରି, ସେପ୍ଟେମ୍ବର ୨୦୨୬ରେ ୟୁଏଇରେ ଆୟୋଜିତ ନିବେଶକ ସମ୍ମିଳନୀରୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିଲା। ଏଥିରେ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC) ପକ୍ଷରୁ ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ରହିଥିଲା। ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଅନେକ କେମିକାଲ୍, ପେଟ୍ରୋକେମିକାଲ୍ ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ର ସହ ଜଡ଼ିତ।

ପାରାଦୀପରୁ ଗୋପାଳପୁର, ନୂଆ ଶିଳ୍ପ ସମ୍ଭାବନା

ଓଡ଼ିଶାର ତିନି ପ୍ରମୁଖ ବନ୍ଦର ପାରାଦୀପ, ଗୋପାଳପୁର ଓ ଧାମରା ରାଜ୍ୟକୁ ଦେଶୀୟ ଏବଂ ଆନ୍ତର୍ଜାତିକ ବଜାର ସହ ଯୋଡ଼ିବାରେ ବଡ଼ ଭୂମିକା ନେଉଛି। ଏହି ଭିତ୍ତିଭୂମିକୁ ଉପଯୋଗ କରି ଶିଳ୍ପ ଉତ୍ପାଦନ ଓ ରପ୍ତାନିକୁ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

ପାରାଦୀପ ପେଟ୍ରୋଲିୟମ୍, କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜନ୍ (PCPIR), ଇଣ୍ଡିଆନ୍ ଅଏଲ୍‌ର ରିଫାଇନାରୀ ଓ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ଏବଂ ପ୍ଲାଷ୍ଟିକ୍ ପାର୍କ ଭବିଷ୍ୟତରେ ଅନେକ ଶିଳ୍ପ ପାଇଁ ନୂଆ ଦ୍ୱାର ଖୋଲିବ। ଏହା ଦ୍ୱାରା ପଲିମର, ପ୍ୟାକେଜିଂ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍ସ ଭଳି ଡାଉନ୍‌ଷ୍ଟ୍ରିମ୍ ଶିଳ୍ପର ବିକାଶ ସମ୍ଭବ ହେବ।

ସେହିପରି ଗୋପାଳପୁରରେ ରେଫ୍ରିଜରେଣ୍ଟ୍, ଫ୍ଲୋରୋକେମିକାଲ୍ସ, ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ କ୍ଷେତ୍ରରେ ନିବେଶ ସୁଯୋଗ ରହିଛି। ତାଳଚେର ଓ ଲଖନପୁରରେ କୋଇଲା ଗ୍ୟାସୀକରଣ ଭିତ୍ତିକ ପ୍ରକଳ୍ପ ମଧ୍ୟ ରାଜ୍ୟର ଶିଳ୍ପ ଅର୍ଥନୀତିକୁ ନୂଆ ଦିଗ ଦେଇପାରିବ।

ଶିଳ୍ପ ନିବେଶ ପାଇଁ ଅନୁକୂଳ ପରିବେଶ

ଓଡ଼ିଶାର ଶିଳ୍ପ ନୀତି, ଭିତ୍ତିଭୂମି, ଦକ୍ଷ ଶ୍ରମଶକ୍ତି ଓ ଶିକ୍ଷାନୁଷ୍ଠାନଗୁଡ଼ିକର ସହଯୋଗକୁ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ପାଇଁ ପ୍ରମୁଖ ଆକର୍ଷଣ ଭାବେ ଉଲ୍ଲେଖ କରିଥିଲେ। ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ICT) ଏବଂ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CIPET) ଭଳି ପ୍ରତିଷ୍ଠାନ ଏହି କ୍ଷେତ୍ରରେ ଦକ୍ଷତା ବିକାଶ ଓ ବୈଷୟିକ ସହଯୋଗ ଯୋଗାଇଦେବେ।

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ଫିକି (FICCI)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ତିନିଦିନିଆ ‘ଇଣ୍ଡିଆ କେମ୍ ୨୦୨୬’ର ଉଦ୍‌ଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ସମେତ ବହୁ ଶିଳ୍ପ ପ୍ରତିନିଧି ଉପସ୍ଥିତ ଥିଲେ।

ଓଡ଼ିଶାରେ ନିବେଶ ବୃଦ୍ଧି ସହିତ ନୂଆ ଶିଳ୍ପ ସ୍ଥାପନ, ନିଯୁକ୍ତି ସୃଷ୍ଟି ଓ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏହି ଶିଳ୍ପାୟନ ରଣନୀତିର ପ୍ରମୁଖ ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *