Spread the love

*୨୦୨୭ ଜାନୁଆରୀ ୯ରେ ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍‌‌‌ର ଚତୁର୍ଥ ସଂସ୍କରଣ*

– ଢେଙ୍କାନାଳ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଆୟୋଜିତ ହେବ
– ଢେଙ୍କାନାଳ ଏସପିଙ୍କ ଉପସ୍ଥିତିରେ ରେଜିଷ୍ଟ୍ରେସନ ଶୁଭାରମ୍ଭ ସହ ଅଫିସିଆଲ୍ ଟି-ସାର୍ଟର ଉନ୍ମୋଚନ କଲେ ଜିଲ୍ଲାପାଳ
– ୫,୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ସାମିଲ ହେବା ସମ୍ଭାବନା
– ଯୁବପିଢ଼ିଙ୍କ ମଧ୍ୟରେ ‘ନିଶାମୁକ୍ତ ଭାରତ’ ଏବଂ ‘ଜୈବବିବିଧତା ସଂରକ୍ଷଣ’ର ବାର୍ତ୍ତା ପ୍ରସାର କରିବା ମୂଳ ଲକ୍ଷ୍ୟ
– ବିଭିନ୍ନ ବର୍ଗର ବିଜେତାଙ୍କ ପାଇଁ ମୋଟ ୯.୬୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା

ଢେଙ୍କାନାଳ, ୨୩/୧୦/୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌‌ଏମ୍‌‌) ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍‌‌’ର ୪ର୍ଥ ସଂସ୍କରଣ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତା ଆସନ୍ତା ୨୦୨୭ ମସିହା ଜାନୁଆରୀ ୯ ତାରିଖରେ ଅନୁଷ୍ଠିତ ହେବ। ଚଳିତ ସଂସ୍କରଣରେ ବିଭିନ୍ନ ବର୍ଗର ୫,୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ପ୍ରସିଦ୍ଧ ଶ୍ରୀ ଚନ୍ଦ୍ରଶେଖର ଜୀଉ ମନ୍ଦିର ନିକଟସ୍ଥ କପିଳାସ ଅଭୟାରଣ୍ୟର ଅଫର ଏରିଆରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ କ୍ରୀଡ଼ା, ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ଭାଗୀଦାରୀକୁ ଗୋଟିଏ ମଞ୍ଚକୁ ଆଣିବାରେ ସଫଳ ହୋଇଛି।

ଏହି ମାରାଥନ୍‌‌‌ରେ ମୋଟ ତିନୋଟି ବର୍ଗ ରହିଛି। ୧୮ ବର୍ଷରୁ ଊର୍ଦ୍ଧ୍ୱ ବର୍ଗଙ୍କ ପାଇଁ ୨୧ କିଲୋମିଟର (ହାଫ୍ ମାରାଥନ୍‌‌) ଓ ୧୦ କିଲୋମିଟର ଦୌଡ଼ ଏବଂ ୧୪ ରୁ ୧୮ ବର୍ଷ ବୟସର ଧାବକଙ୍କ ପାଇଁ ୫ କିଲୋମିଟର ଦୌଡ଼ ଆୟୋଜିତ ହେବ। ଏହି ରନ୍ ରୁଟ୍ ଗ୍ରୀସ୍‌‌‌ର ଏଥେନ୍ସସ୍ଥିତ ‘ଅନ୍ତର୍ଜାତୀୟ ମାରାଥନ୍ ଏବଂ ଡିଷ୍ଟାନ୍ସ ରେସେସ୍‌‌’ (ଏଆଇଏମ୍‌‌ଏସ୍‌‌) ଦ୍ୱାରା ସ୍ୱୀକୃତିପ୍ରାପ୍ତ। ପ୍ରତିଯୋଗିତାର ବିଜେତାମାନଙ୍କ ପାଇଁ ମୋଟ ୯.୬୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏଥିରେ ବିଭିନ୍ନ ବର୍ଗରେ ମୋଟ ୩୦ଟି ପୁରସ୍କାର ପ୍ରଦାନ କରାଯିବ। ପୁରୁଷ ଓ ମହିଳା ବିଭାଗର ୨୧ କିଲୋମିଟର୍ ଦୌଡ଼ର ପ୍ରଥମ ସ୍ଥାନ ଅଧିକାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ।

ଏ ନେଇ https://tatasteelruns.com/ ୱେବସାଇଟ୍ ମାଧ୍ୟମରେ ଅଂଶଗ୍ରହଣକାରୀମାନେ ନାମ ପଞ୍ଜୀକରଣ କରିପାରିବେ। ୧୫ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ୱେବସାଇଟ ଖୋଲା ରହିବ। ଏଥିରେ ମୋଟ ୫୦୦୦ ପ୍ରତିଯୋଗୀଙ୍କ ପାଇଁ ସୀମିତ ସ୍ଲଟ୍ ରହିଥିବାରୁ ଫାଷ୍ଟ କମ୍‌‌, ଫାଷ୍ଟ ସର୍ଭଡ’ ଭିତ୍ତିରେ ପଞ୍ଜୀକରଣ କରାଯିବ। ୨୧ କିଲୋମିଟର ପାଇଁ ୪୦୦ ଟଙ୍କା ପ୍ରବେଶ ଶୁଳ୍କ ରହିଥିବା ବେଳେ ୧୦ କିଲୋମିଟର ପାଇଁ ୩୦୦ ଟଙ୍କା ଏବଂ ୫ କିଲୋମିଟର ଦୌଡ଼ ପାଇଁ ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିରେ ଅଂଶଗ୍ରହଣକାରୀଙ୍କୁ ଏକ ଗୁଡି ବ୍ୟାଗ୍ ପ୍ରଦାନ କରାଯିବ, ଯେଉଁଥିରେ ଟି-ସାର୍ଟ, ଦୌଡ଼ର ସମୟ ଟ୍ରାକ୍ କରିବା ପାଇଁ ବିବ୍ ଚିପ୍ ଏବଂ ରିଫ୍ରେଶମେଣ୍ଟର ବ୍ୟବସ୍ଥା ରହିଛି।

ଏହି ଅବସରରେ ଢେଙ୍କାନାଳ ଜିଲ୍ଲାପାଳ ଜିଲ୍ଲା ତଥା ମାଜିଷ୍ଟ୍ରେଟ୍ ଏ. ଆଇ. ପାଟିଲ (ଆଇ.ଏ.ଏସ୍‌‌.) କହିଛନ୍ତି, “ଏହି ସୁନ୍ଦର ଜୈବ ବିବିଧତା କରିଡରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିବା ଏବଂ ଏହାକୁ ‘ନିଶାମୁକ୍ତ ଭାରତ’ ଅଭିଯାନ ସହିତ ଯୋଡ଼ିଥିବାରୁ ମୁଁ ଟାଟା ଷ୍ଟିଲ୍‌‌‌କୁ ପ୍ରଶଂସା କରୁଛି। ଏହି ଆୟୋଜନରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଏହି କାର୍ଯ୍ୟକ୍ରମ ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ସହ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ପ୍ରେରଣା ଦେବାରେ ସଫଳ ହେଉ, ଏହାହିଁ ମୋର କାମନା।”

ଏହି ଅବସରରେ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ମାନେ (ଆଇପିଏସ) କହିଛନ୍ତି, “ଏହା କେବଳ ଗୋଟିଏ ମାରାଥନ୍ ନୁହେଁ, ବରଂ ଏକ ସୁସ୍ଥ ଭବିଷ୍ୟତ ଗଠନ ଦିଗରେ ଏକ ପ୍ରୟାସ। ପୋଲିସ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳା ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ମୁଁ ଟାଟା ଷ୍ଟିଲର ଏହି ପ୍ରଶଂସନୀୟ ପଦକ୍ଷେପ ପାଇଁ ପୂରା ଟିମ୍‌‌‌କୁ ଶୁଭେଚ୍ଛା ଏବଂ ଏହାର ସଫଳତା କାମନା କରୁଛି।”

ଏହି ଅବସରରେ ଟାଟା ଷ୍ଟିଲର କର୍ପୋରେଟ୍ ସର୍ଭିସେସ୍‌‌‌ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଡି. ବି. ସୁନ୍ଦର ରମମ୍ କହିଛନ୍ତି, “କପିଳାସ ହାଫ୍ ମାରାଥନ୍ କେବଳ ଗୋଟିଏ କ୍ରୀଡ଼ା ପ୍ରତିଯୋଗିତାରେ ସୀମିତ ହୋଇ ରହିନାହିଁ, ବରଂ ଏହା ସ୍ୱାସ୍ଥ୍ୟ ସଚେତନତା, ଜୈବବିବିଧତା ସଂରକ୍ଷଣ ଏବଂ ଜନସାଧାରଣଙ୍କ ଭାଗୀଦାରୀକୁ ପ୍ରୋତ୍ସାହିତ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଏଆଇଏମ୍‌‌ଏସ୍ ମାନ୍ୟତା ମିଳିବା ଫଳରେ ଢେଙ୍କାନାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସାମ୍ନାକୁ ଆଣିବା ସହ ଏହି ଆୟୋଜନର ସ୍ୱତନ୍ତ୍ର ପରିଚୟ ଆହୁରି ମଜବୁତ ହୋଇପାରିଛି। ନିରନ୍ତର ସହଯୋଗ ପାଇଁ ଆମେ ଜିଲ୍ଲା ପ୍ରଶାସନକୁ ଅଶେଷ ଧନ୍ୟବାଦ ଜଣାଉଛୁ।”

‘ରନ୍ ଫର ଏ ଗ୍ରୀନର ଟୁମରୋ’ ଏହା ହେଉଛି ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଟାଟା ଷ୍ଟିଲ୍ ରନ୍‌‌‌ର ମୂଳ ଥମ୍‌‌। ଭାରତ ସରକାରଙ୍କ ‘ନିଶାମୁକ୍ତ ଭାରତ’ ଅଭିଯାନ ସହ ଯୋଡ଼ି ହୋଇ ସୁସ୍ଥ ଜୀବନଶୈଳୀ ଆପଣାଇବା ଏବଂ ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚଳିତ ବର୍ଷର କପିଳାସ ହାଫ୍ ମାରାଥନ୍‌‌ର ଲକ୍ଷ୍ୟ ରଖିଛି। ଏହାସହିତ କପିଳାସର ପର୍ଯ୍ୟଟନ ବିକାଶ ସହ ହାତୀ ସୁରକ୍ଷା ଭଳି ଜୈବ ବିବିଧତା ସଂରକ୍ଷଣ ବାର୍ତ୍ତା ପ୍ରଚାର କରିବା ଏହାର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ।

ଏହି ଅବସରରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଅପରେସନ୍ସ ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ସୁଧୀର କୁମାର ମେହେଟ୍ଟା କହିଛନ୍ତି, “କପିଳାସ ରନ୍ ସ୍ୱାସ୍ଥ୍ୟ ଓ ସଚେତନତାକୁ ପ୍ରୋତ୍ସାହିତ କରିବା ସହ ସମାଜର ଭାଗୀଦାରୀକୁ ବୃଦ୍ଧି କରିବା ପାଇଁ ଆମ ନିରନ୍ତର ପ୍ରଚେଷ୍ଟାର ଏକ ଅଂଶବିଶେଷ। ଟାଟା ଷ୍ଟିଲ୍ ମେରାମଣ୍ଡଳୀ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ଏବଂ ଜୈବବିବିଧତା ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଆସୁଛି। ସ୍ଥାୟୀ ଗୋଷ୍ଠୀ ବିକାଶ ଓ ପ୍ରକୃତି ସୁରକ୍ଷା ପ୍ରତି ଆମର ସାମୂହିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ଏବଂ ସମସ୍ତଙ୍କୁ ପ୍ରେରଣା ଯୋଗାଇବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।”

ଏହି ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶିଷ ଈଶ୍ୱର ପାଟିଲ (ଆଇଏଏସ୍‌‌) ହାଫ୍ ମାରାଥନ୍ ଚତୁର୍ଥ ସଂସ୍କରଣର ଟି-ସାର୍ଟ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ମାନେ (ଆପିଏସ୍‌‌), ଟାଟା ଷ୍ଟିଲ୍ କ୍ରୀଡ଼ା ମୁଖ୍ୟ ମୁକୁଲ ବିନାୟକ ଚୌଧୁରୀ, ଟାଟା ଷ୍ଟିଲ୍ ମେରାମଣ୍ଡଳୀ କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଶ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା, ଏମଜିଏମ ମିନେରାଲ୍ସ ଲିମିଟେଡ୍‌‌‌ର ଚିଫ୍ ଅପରେଟିଂ ଅଫିସର ଶ୍ରୀ ସୁନୀଲ କୁମାର ମିଶ୍ର ଏବଂ ଖେମକା ରିଫ୍ରାକ୍ଟରୀଜ୍‌‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆଲୋକ ଖେମକାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌‌) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଉପ-ଜିଲ୍ଲାପାଳ ଶ୍ରୀ ପଦ୍ମ ଚରଣ ସାହୁ, ସହକାରୀ ବନ ସଂରକ୍ଷକ (ଏସିଏଫ୍‌‌) ଶ୍ରୀ ବିଦ୍ୟାସାଗର ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଶ୍ରୀ ଶ୍ରୀନିବାସ ରାଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସଂସ୍କରଣରେ ଏମ୍‌‌‌ଜିଏମ୍ ମିନେରାଲ୍ସ ଲିମିଟେଡ୍‌‌, ଖେମକା ରିଫ୍ରାକ୍ଟରିଜ୍ ଲିମିଟେଡ୍‌‌, ଏସ୍‌‌‌ଏନ୍‌‌‌ଏମ୍ ଗ୍ରୁପ୍‌‌, ନାଭା ଏବଂ ଟାଟା ଷ୍ଟିଲ୍ ଗ୍ରୁପ୍‌‌‌ର ସହଯୋଗୀ ସଂସ୍ଥା ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡ୍ ଓ ଟାଟା ଷ୍ଟିଲ୍ ସପୋର୍ଟ ସର୍ଭିସେସ୍ ଲିମିଟେଡ୍ ସହଯୋଗୀ ରହିଛନ୍ତି।

Leave a Reply

Your email address will not be published. Required fields are marked *