ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଆର୍ଆଣ୍ଡବି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ
କଟକ, ଭୁବନେଶ୍ୱର ଓ ପୁରୀରେ ୩ଟି ବହୁତଳ କୋଠା, ୩ଟି ଦାମୀ ପ୍ଲଟ୍ ଓ ଫାର୍ମହାଉସ୍ ଠାବ
ଯାଜପୁର/କଟକ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଆର୍ଆଣ୍ଡବି (ରାସ୍ତା ଓ କୋଠାବାଡ଼ି) ସବ୍ଡିଭିଜନ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କୁ କଟକସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଭିଜିଲାନ୍ସର ସୂଚନା ଅନୁଯାୟୀ, ତପନ ସେଠୀଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ାଉ ଓ ତଲାସୀ ସମୟରେ ବିପୁଳ ପରିମାଣର ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ଏଥିରେ କଟକ, ଭୁବନେଶ୍ୱର ଓ ପୁରୀରେ ଥିବା ୩ଟି ବହୁତଳ କୋଠା, ୩ଟି ମୂଲ୍ୟବାନ ପ୍ଲଟ୍ ଏବଂ ୧ ଏକର ୨ ଡେସିମିଲ୍ ଜମିରେ ପରିବ୍ୟାପ୍ତ ଏକ ଫାର୍ମହାଉସ୍ ରହିଛି।
ଏହା ବ୍ୟତୀତ ୭୪୭ ଗ୍ରାମ୍ ସୁନା, ବ୍ୟାଙ୍କ ଓ ଅନ୍ୟାନ୍ୟ ଜମାରେ ୨୦.୮୭ ଲକ୍ଷ ଟଙ୍କା ଏବଂ ୨ଟି ଚାରିଚକିଆ ଯାନ ମଧ୍ୟ ଠାବ କରାଯାଇଛି। ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ବ୍ୟାଖ୍ୟା ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଏହି ଘଟଣାରେ ତପନ ସେଠୀଙ୍କ ବିରୋଧରେ ଭିଜିଲାନ୍ସ ସେଲ୍ ଥାନାରେ କେସ୍ ନମ୍ବର ୮/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଛି।
ଏହି ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।
