Spread the love

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ,

କଲାହାଣ୍ଡି ,ଧର୍ମଗଡ଼ ୨୨/୧୦: (ବାଲେଶ୍ଵର ସୁନାନୀ ଜାଗ୍ରତ ଭାରତ ନିୟୁଜ ) ପାଞ୍ଚ ଦିନ ତଳେ ନିଖୋଜ ଥିବା ପ୍ରେମୀ ଯୁଗଳଙ୍କ ମୃତଦେହ ବେହେରା ସ୍ଥିତ ନୁନପାଣି ଭଣ୍ଡାର ଡଙ୍ଗରି ଶୀର୍ଷରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଉଭୟଙ୍କ ମୃତ୍ୟୁକୁ ନେଇ ହତ୍ୟା ସନ୍ଦେହ ପ୍ରକାଶ ପାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।
ସୂଚନା ଅନୁଯାୟୀ, କୋକସରା ଥାନା ଅନ୍ତର୍ଗତ ତେଣ୍ଡାପାଲି ଗ୍ରାମର ପ୍ରହ୍ଲାଦ ନାଏକଙ୍କ ପୁଅ ଅଜିତ କୁମାର ନାଏକ ଏବଂ ଧର୍ମଗଡ଼ ସହରର କେନ୍ଦୁମୁଡ଼ିପଡ଼ାର ପ୍ରିୟଦର୍ଶିନୀ ନାଏକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଉଭୟ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ସମ୍ପର୍କକୁ ନେଇ ପରିବାର ମଧ୍ୟରେ ଅସହମତି ରହିଥିବା ଜଣାପଡ଼ିଛି।


ଗତ ୧୭ ତାରିଖ ରାତିରୁ ଉଭୟ ନିଖୋଜ ହୋଇଯାଇଥିଲେ। ଏନେଇ ଉଭୟଙ୍କ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ଼ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା। ତେବେ ଆଜି ସକାଳେ କିଛି ଲୋକ କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଗଛରେ ଝୁଲୁଥିବା ଦୁଇଟି ମୃତଦେହ ଦେଖିବାକୁ ପାଇଥିଲେ। ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।

ମୃତଦେହ ଦୁଇଟି ପଚିଯାଇଥିବା ବେଳେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଚିହ୍ନଟ କରିଥିଲେ। ମୃତକଙ୍କ ଶରୀରରେ ରକ୍ତର ଚିହ୍ନ ଥିବା ଏବଂ ଉଭୟଙ୍କ ହାତ ପଛପଟେ ବନ୍ଧା ହୋଇଥିବା ନେଇ ଆଲୋଚନା ହେଉଥିବାରୁ ଏହା ଆତ୍ମହତ୍ୟା ନା ହତ୍ୟା, ତାହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି।
ଅନ୍ୟପକ୍ଷରେ, ଅଜିତଙ୍କ ପରିବାର ଲୋକେ ଏହି ଘଟଣାରେ ପ୍ରିୟଦର୍ଶିନୀଙ୍କ ପରିବାରର ସମ୍ପୃକ୍ତି ଥିବା ସନ୍ଦେହ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଘଟଣା ପୂର୍ବରୁ ପ୍ରିୟଦର୍ଶିନୀଙ୍କ ପରିବାର ପକ୍ଷରୁ ଅଜିତଙ୍କ ପରିବାରକୁ ବିଭିନ୍ନ ସମୟରେ ଧମକ ଦିଆଯାଉଥିଲା। ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ପ୍ରେମ ସମ୍ପର୍କ, ଭିନ୍ନ ଜାତିର ହୋଇଥିବାରୁ ପରିବାର ମଧ୍ୟରେ ଅସହମତି ଏବଂ ଦୁଇଟି ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାକୁ ଅଧିକ ରହସ୍ୟମୟ କରିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।


ଖବର ପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *