Spread the love

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ବୈଠକ ଅନୁଷ୍ଠିତ

​ଅନୁଗୋଳ, ୨୮ ଅକ୍ଟୋବର:

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।

​ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଦୁର୍ନୀତି ରୋକିବା ସମସ୍ତଙ୍କର ସାମୂହିକ ଦାୟିତ୍ୱ। ପ୍ରତ୍ୟେକ ସରକାରୀ ଅଧିକାରୀ ସୁଦୃଢ଼ ଆତ୍ମଚିନ୍ତନ କରି ନିଜ କର୍ତ୍ତବ୍ୟକୁ ସତ୍ୟନିଷ୍ଠାର ସହ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

​ସଭାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜୀବ ଲୋଚନ ପଣ୍ଡା, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ବୈଦେହୀଶ୍ବର ସ୍ବାଇଁ ଯୋଗ ଦେଇଥିଲେ। ବ୍ୟାପକ ଜନସଚେତନତା ହିଁ ସମାଜରୁ ଦୁର୍ନୀତି ନିର୍ମୂଳ କରିବାରେ ସହାୟକ ହେବ ବୋଲି ସେମାନେ ପ୍ରକାଶ କରିବା ସହ ଉତ୍କୋଚ (ଲାଞ୍ଚ) କାରବାରକୁ ଦୃଢ଼ ବିରୋଧ କରିବାକୁ ପରାମର୍ଶ ଦେଇଥିଲେ। କୌଣସି ପ୍ରକାର ଲାଞ୍ଚ ନ ନେଇ ନିଜ ଦାୟିତ୍ୱ ନିଷ୍ଠାର ସହ ସମ୍ପାଦନ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।

​ଉପ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରମୋଦ କୁମାର ଥାଟି ଯୋଗଦେଇ ଚଳିତ ବର୍ଷର ମୂଳ ବାର୍ତ୍ତା “ସାଧୁତାର ସଂସ୍କୃତି“ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଦୁର୍ନୀତି ନିବାରଣ ସପ୍ତାହ ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

​ଉପସ୍ଥିତ ଅଧିକାରୀବୃନ୍ଦ:

​ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଡ. ଦୀପ୍ତି ରଞ୍ଜନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ଵାଗତିକା ମହାପାତ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିବ୍ୟ ସୁନ୍ଦର ପଣ୍ଡା, ଡେପୁଟି କଲେକ୍ଟର ୟୁକ୍ରିତ ଧଳ, ଜିଲ୍ଲା ଆପାତକାଳୀନ ଅଧିକାରୀ ସୁରେନ୍ଦ୍ର କୁମାର ଶତପଥୀ, ଜିଲ୍ଲା ଶ୍ରମ ଅଧିକାରୀ ସ୍ବପ୍ନାରାଣୀ ସ୍ବାଇଁ, ଏବଂ ବିନିଯୋଗ ଅଧିକାରୀ ସ୍ବର୍ଣ୍ଣଲତା ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

​ସଚେତନତା ରାଲି ଅନୁଷ୍ଠିତ:

​ସଚେତନତା ସପ୍ତାହ ପାଳନ ଅବସରରେ ସକାଳେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସଚେତନତା ରାଲି ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *