*ଅନ୍ତିମ ପର୍ଯ୍ୟାୟ ଜନଗଣନାର ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ*
ଅନୁଗୋଳ, ୨୮.୧୦ : ସ୍ଥାନୀୟ ବ୍ଲାକ ଡାଇମଣ୍ଡ ପ୍ରେକ୍ଷାଳୟଠାରେ ଦୁଇଦିନିଆ ‘ପପୁଲେସନ ଏନୁମେରେସନ’ (ଜନଗଣନା) ସମ୍ବନ୍ଧୀୟ ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜନଗଣନା ଭଳି ଏକ ଜାତୀୟ ତଥା ମହତ କାର୍ଯ୍ୟକ୍ରମକୁ ସମସ୍ତେ ଅତ୍ୟନ୍ତ ନିଷ୍ଠା, ଦାୟିତ୍ଵବୋଧ ଏବଂ ଆନ୍ତରିକତାର ସହ ନିର୍ବାହ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ଡେପୁଟି ଜନଗଣନା ଅଧିକାରୀ ତଥା ଡେପୁଟି ଜିଲ୍ଲାପାଳ ଶ୍ରୀ ଜୟକୃଷ୍ଣ ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ସମଗ୍ର ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲା ଜନଗଣନା ଅଧିକାରୀ, ଉପ ଜିଲ୍ଲାପାଳ ତଥା ଉପଖଣ୍ଡୀୟ ଜନଗଣନା ଅଧିକାରୀ, ଜିଲ୍ଲାର ସମସ୍ତ ୧୨ ଜଣ ଚାର୍ଜ ଅଫିସର, ଅତିରିକ୍ତ ଚାର୍ଜ ଅଫିସର, ଜନଗଣନା ସହକାରୀ ଏବଂ ବୈଷୟିକ ସହକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନଗଣନା ଅପରେସନ ସେଲର ବରିଷ୍ଠ ସହାୟକ ଶ୍ରୀ ସୁଶାନ୍ତ କୁମାର ଅମାନ୍ତ, ବୈଷୟିକ ସହାୟକ ଶ୍ରୀ ଆଶିଷ ବେହେରା ଓ ଶ୍ରୀ ଶ୍ରବଣ ସାହୁ ସହଯୋଗ କରିଥିଲେ।
