# ଦୁର୍ଗମ ଗଙ୍ଗବାଡ଼ରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଉପ ଜିଲ୍ଲାପାଳ
### ବାତ୍ୟା ପରେ ପାହାଡ଼ ଚଢ଼ି ଅପହଞ୍ଚ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ
**ଗଜପତି:** ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା ଏବଂ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଗଙ୍ଗବାଡ଼ ପଞ୍ଚାୟତରେ ପହଞ୍ଚିଛନ୍ତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ଉପଜିଲ୍ଲାପାଳ।
ବାତ୍ୟା ପ୍ରଭାବରେ ଅଞ୍ଚଳର ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବାରୁ ଯାନବାହନ ଯୋଗେ ଗ୍ରାମରେ ପହଞ୍ଚିବା କଷ୍ଟକର ହୋଇପଡ଼ିଥିଲା। ତଥାପି ଦୁର୍ଗମ ଅଞ୍ଚଳର ଲୋକଙ୍କ ସମସ୍ୟାକୁ ନିକଟରୁ ବୁଝିବା ପାଇଁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଓ ଉପଜିଲ୍ଲାପାଳ ପାହାଡ଼ ଚଢ଼ି ଗଙ୍ଗବାଡ଼ରେ ପହଞ୍ଚିଥିଲେ।
ସେଠାରେ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି, ରାସ୍ତାଘାଟର ସ୍ଥିତି ଏବଂ ଗ୍ରାମବାସୀଙ୍କ ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ। ଏଥିସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅସୁବିଧା ବୁଝିଥିଲେ।
ବାତ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇଦେବା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ମଧ୍ୟ ସରକାରୀ ସହାୟତା ପହଞ୍ଚାଇବା ପ୍ରଶାସନର ଲକ୍ଷ୍ୟ। ଏହି ଗସ୍ତ ମାଧ୍ୟମରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା ସହ ପ୍ରଭାବିତ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି।
