Spread the love

ଚିକିତ୍ସା ଜଗତରେ ଅପୂରଣୀୟ କ୍ଷତି: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ; ଗଭୀର ଶୋକ ପ୍ରକାଶ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

​ଭୁବନେଶ୍ୱର: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ, ଏମ୍ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କର ପରଲୋକ ଘଟିଛି। ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

​ଡାକ୍ତର ମହାପାତ୍ରଙ୍କ ବିୟୋଗ ଖବର ପାଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଭୀର ଶୋକ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ସୋସିଆଲ ମିଡିଆ ଯୋଗେ ଶୋକବାର୍ତ୍ତା ଦେଇ କହିଛନ୍ତି ଯେ, “ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ତାଙ୍କ ବିୟୋଗ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।”

​ଉଲ୍ଲେଖଯୋଗ୍ୟ, ଦେଶରେ ନ୍ୟୁରୋସର୍ଜରୀ କ୍ଷେତ୍ରକୁ ଆଗକୁ ନେବାରେ ଡାକ୍ତର ମହାପାତ୍ରଙ୍କ ଅବଦାନ ଅତୁଳନୀୟ ଥିଲା। କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ‘ଜଗା-ବଳିଆ’ଙ୍କ ବିରଳ ଅସ୍ତ୍ରୋପଚାର ଦଳର ସେ ମୁଖ୍ୟ ଥିଲେ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *