୨୦୨୭ ପଞ୍ଜାବ ନିର୍ବାଚନକୁ ନେଇ ବଡ଼ ରାଜନୈତିକ ଚର୍ଚ୍ଚା: ପୁଣି ଏକାଠି ହୋଇପାରନ୍ତି ବିଜେପି ଓ ଅକାଳୀ ଦଳ!
ଚଣ୍ଡିଗଡ଼: ପଞ୍ଜାବ ରାଜନୀତିରେ ନୂଆ ସମୀକରଣକୁ ନେଇ ଜୋରଦାର ଚର୍ଚ୍ଚା। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣିଥରେ ନିଜର ପୁରୁଣା ମେଣ୍ଟ ସହଯୋଗୀ ବିଜେପି ଓ ଶିରୋମଣି ଅକାଳୀ ଦଳ ଏକାଠି ହେବାର ସମ୍ଭାବନା ଦେଖାଦେଇଛି। ଉଭୟ ଦଳ ମଧ୍ୟରେ ମେଣ୍ଟ ଗଠନ, ଆସନ ବଣ୍ଟନ ଏବଂ ନିର୍ବାଚନୀ ରଣନୀତିକୁ ନେଇ ଆଲୋଚନା ଚାଲିଥିବା ବିଭିନ୍ନ ରିପୋର୍ଟରେ ଦାବି କରାଯାଇଛି। ତେବେ ଏନେଇ ଏପର୍ଯ୍ୟନ୍ତ ଦୁଇ ଦଳ ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନାହିଁ।
ମୁଖ୍ୟମନ୍ତ୍ରୀ ପଦ ଅକାଳୀ ଦଳ ପାଖରେ ରହିବା ନେଇ ଚର୍ଚ୍ଚା
ପ୍ରସ୍ତାବିତ ମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମଧ୍ୟ ଏକ ସମୀକରଣ ସାମ୍ନାକୁ ଆସିଛି। ମେଣ୍ଟ ସଫଳ ହେଲେ ସରକାର ଗଠନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପଦ ଅକାଳୀ ଦଳ ପାଖରେ ରହିପାରେ ବୋଲି ଚର୍ଚ୍ଚା ହେଉଛି।
ଆସନ ବଣ୍ଟନକୁ ନେଇ ହେଉଥିବା ଆକଳନ ଅନୁସାରେ, ବିଜେପି ୩୫ରୁ ୪୦ଟି ଆସନରେ ପ୍ରାର୍ଥୀ ଦେଇପାରେ। ଅନ୍ୟପକ୍ଷରେ ଅବଶିଷ୍ଟ ୬୭ଟି ଆସନରେ ଅକାଳୀ ଦଳ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ପୂର୍ବରୁ ୧୯୯୭ରୁ ୨୦୧୭ ପର୍ଯ୍ୟନ୍ତ ମେଣ୍ଟ ସମୟରେ ବିଜେପି ମାତ୍ର ୨୩ଟି ଆସନରେ ଲଢ଼ୁଥିଲା। ଏଥର ଅଧିକ ଆସନ ପାଇଁ ବିଜେପି ଦାବି କରୁଥିବା କୁହାଯାଉଛି।
ଦୀପାବଳି ପରେ ବଠିଣ୍ଡାରେ ହୋଇପାରେ ମେଣ୍ଟ ଘୋଷଣା
ରାଜନୈତିକ ମହଲରେ ଚର୍ଚ୍ଚା ଅନୁସାରେ, ଦୀପାବଳି ପରେ ଏହି ମେଣ୍ଟକୁ ନେଇ ବଡ଼ ଘୋଷଣା ହୋଇପାରେ। ଏଥିପାଇଁ ବଠିଣ୍ଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିଶାଳ ଜନସଭା କରିପାରନ୍ତି ବୋଲି ରିପୋର୍ଟରେ ଦାବି କରାଯାଇଛି। ଏହି ସଭାରେ ଉଭୟ ଦଳର ଶୀର୍ଷ ନେତୃତ୍ୱ ଏକ ମଞ୍ଚରେ ନଜର ଆସିବାର ସମ୍ଭାବନା ରହିଛି।
ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୭ରେ ପଞ୍ଜାବରେ ଏନ୍ଡିଏ ସରକାର ଗଠନ କରିବା ନେଇ ଆଶା ପ୍ରକାଶ କରିଥିଲେ। ଏହାପରଠାରୁ ବିଜେପି ଓ ଅକାଳୀ ଦଳର ସମ୍ଭାବ୍ୟ ମେଣ୍ଟକୁ ନେଇ ରାଜନୈତିକ ଚର୍ଚ୍ଚା ଅଧିକ ତୀବ୍ର ହୋଇଛି।
ବିଦ୍ରୋହୀ ଅକାଳୀ ଗୋଷ୍ଠୀଙ୍କୁ ମିଳିବନି କି ସୁଯୋଗ?
ଏହି ମେଣ୍ଟ ଚର୍ଚ୍ଚା ମଧ୍ୟରେ ଅକାଳୀ ଦଳରୁ ଅଲଗା ହୋଇଥିବା ବିଦ୍ରୋହୀ ଗୋଷ୍ଠୀଙ୍କ ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅକାଳୀ ଦଳ ପୁନର୍ସୁରଜିତ ଭଳି ଗୋଷ୍ଠୀ ମେଣ୍ଟରେ ସାମିଲ ହେବା ନେଇ ପୂର୍ବରୁ ଆଲୋଚନା ହେଉଥିଲା। କିନ୍ତୁ ଏବେ ସେମାନଙ୍କ ପାଇଁ ମେଣ୍ଟରେ ସ୍ଥାନ ପାଇବା ସହଜ ହେବ ନାହିଁ ବୋଲି ଆକଳନ କରାଯାଉଛି। ଏହି ଗୋଷ୍ଠୀ ଏପର୍ଯ୍ୟନ୍ତ ପଞ୍ଜୀକୃତ ରାଜନୈତିକ ଦଳର ମାନ୍ୟତା ପାଇନଥିବାରୁ ନିର୍ବାଚନୀ ଚିହ୍ନକୁ ନେଇ ମଧ୍ୟ ସମସ୍ୟା ଉପୁଜିପାରେ।
ମୋଦୀ କ୍ୟାବିନେଟ୍କୁ ଫେରିବେ କି ହରସିମରତ କୌର?
ମେଣ୍ଟ ଗଠନ ହେଲେ ଅକାଳୀ ଦଳକୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଦଳର ନେତା ସୁଖବୀର ସିଂହ ବାଦଲଙ୍କ ପତ୍ନୀ ତଥା ସାଂସଦ ହରସିମରତ କୌର ବାଦଲ ପୁଣିଥରେ ମୋଦୀ କ୍ୟାବିନେଟ୍ରେ ସାମିଲ ହୋଇପାରନ୍ତି ବୋଲି କିଛି ରିପୋର୍ଟରେ ଆକଳନ କରାଯାଇଛି। ରବନୀତ ସିଂହ ବିଟ୍ଟୁଙ୍କ ମନ୍ତ୍ରୀ ପଦରୁ ହଟିବା ପରେ କେନ୍ଦ୍ରରେ ପଞ୍ଜାବର ପ୍ରତିନିଧିତ୍ୱକୁ ନେଇ ଏହି ଚର୍ଚ୍ଚା ହେଉଛି। ତେବେ ଏହାକୁ ନେଇ କୌଣସି ସରକାରୀ ସ୍ପଷ୍ଟୀକରଣ ଆସିନାହିଁ।
ମେଣ୍ଟ ସମ୍ଭାବନାକୁ ଖୋଲା ରଖିଛନ୍ତି ସୁଖବୀର ବାଦଲ!
ବିଜେପି ସହ ମେଣ୍ଟ ସମ୍ଭାବନାକୁ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ସମ୍ପୂର୍ଣ୍ଣ ଭାବେ ଖାରଜ କରିନାହାନ୍ତି। ତାଙ୍କ କହିବା ଅନୁସାରେ, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ହେଉଛନ୍ତି ତାଙ୍କ ଦଳର ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ। ତେବେ ଯେଉଁ ଦଳର ବିଚାରଧାରା ଅକାଳୀ ଦଳ ସହ ସମାନତା ରଖେ, ସେମାନଙ୍କ ସହ ମେଣ୍ଟର ଦ୍ୱାର ଖୋଲା ରହିଥିବା ସେ ସଙ୍କେତ ଦେଇଛନ୍ତି ବୋଲି କୁହାଯାଉଛି।
ଏବେ ସମସ୍ତଙ୍କ ନଜର ଦୁଇ ଦଳର ଆଗାମୀ ରାଜନୈତିକ ପଦକ୍ଷେପ ଉପରେ। ଯଦି ଏହି ମେଣ୍ଟ ବାସ୍ତବ ରୂପ ନିଏ, ତେବେ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇପାରେ।
