Spread the love

# ଜମି କିଣାଇବା ନାଁରେ ୧.୪୭ କୋଟି ଟଙ୍କା ଠକେଇ, ପୁଲିସ ଜାଲରେ ସ୍ୱାମୀ-ସ୍ତ୍ରୀ

**ଭୁବନେଶ୍ୱର, (ଜାଗ୍ରତ ଭାରତ ନ୍ୟୁଜ୍):** ଜମି କିଣାଇଦେବାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୧ କୋଟି ୪୭ ଲକ୍ଷ ୬୦ ହଜାର ଟଙ୍କା ଠକେଇ ଅଭିଯୋଗରେ କମିଶନରେଟ୍ ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି। ଗିରଫ ଦମ୍ପତି ହେଲେ ଶ୍ରୀମନ୍ତ କଳସ (୬୩) ଏବଂ ତାଙ୍କ ପତ୍ନୀ ସୌମ୍ୟା ସୁଭଦର୍ଶିନୀ କଳସ (୪୩)। ମଙ୍ଗଳବାର ଉଭୟଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି।

ପୁଲିସର ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନାରେ ଏହି ଠକେଇ ନେଇ ୧୯ ଜାନୁଆରୀ ୨୦୨୬ରେ କେସ୍ ନଂ ୫୫/୨୦୨୬ ରୁଜୁ ହୋଇଥିଲା। କୈବଲ୍ୟ ବିହାରର ବାସିନ୍ଦା ସୁଧୀର କୁମାର ପାଣିଗ୍ରାହୀ (୪୧) ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ମୁତାବକ, ଶ୍ରୀମନ୍ତ କଳସ ନିଜକୁ ଜମି ଦଲାଲ ଭାବେ ପରିଚୟ ଦେଇ ଶହୀଦନଗରର ପ୍ଲଟ୍ ନଂ ଏ-୩୫୭ କିଣାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଜମିର ମାଲିକଙ୍କ ସହ ନିଜର ଘନିଷ୍ଠ ସମ୍ପର୍କ ଥିବା କହି ଅଭିଯୋଗକାରୀଙ୍କ ବିଶ୍ୱାସ ଜିତିଥିଲେ। ଏହି ଭରସାରେ ୧୫ ଜାନୁଆରୀ ୨୦୨୧ରୁ ୯ ଅଗଷ୍ଟ ୨୦୨୨ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୧ କୋଟି ଟଙ୍କା ବ୍ୟାଙ୍କ ଜରିଆରେ ଏବଂ ୪୭ ଲକ୍ଷ ୬୦ ହଜାର ଟଙ୍କା ନଗଦ ଆକାରରେ ନେଇଥିବା ଅଭିଯୋଗ ହୋଇଛି।

କିନ୍ତୁ ଟଙ୍କା ନେବା ପରେ ଜମିର ବିକ୍ରୟ ଦଲିଲ ପ୍ରସ୍ତୁତ ଓ ପଞ୍ଜୀକରଣ କରିବାରେ ଅଭିଯୁକ୍ତ ଟାଳଟୁଳ କରିଥିଲେ। ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିଲେ। ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ନିଜେ ଖୋଳତାଡ଼ କରିବାରୁ ଜମିର ପ୍ରକୃତ ମାଲିକଙ୍କ ସହ ଅଭିଯୁକ୍ତଙ୍କର କୌଣସି ଆଇନଗତ ସମ୍ପର୍କ ନଥିବା ଜଣାପଡ଼ିଥିଲା। ଏପରିକି ଜାଲ୍ ଓ ନକଲି ଦସ୍ତାବିଜ୍ ବ୍ୟବହାର କରି ଟଙ୍କା ହଡ଼ପ କରାଯାଇଥିବା ନେଇ ତଦନ୍ତରେ ସନ୍ଦେହ ପ୍ରକାଶ ପାଇଛି।

**ଶିଳ୍ପ ସଂସ୍ଥାରେ ବିନିଯୋଗ ହୋଇଥିଲା ଠକେଇ ଟଙ୍କା**

ପୁଲିସ ତଦନ୍ତରୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଠକେଇ ମାଧ୍ୟମରେ ଆଦାୟ ହୋଇଥିବା ଅର୍ଥକୁ ଶିଳ୍ପ ପ୍ରତିଷ୍ଠାନରେ ବିନିଯୋଗ କରାଯାଇଥିବା ଜଣାପଡ଼ିଛି। ଖୋର୍ଦ୍ଧାର ମୁକୁନ୍ଦପ୍ରସାଦସ୍ଥିତ ‘ମେସର୍ସ ଶ୍ରୀଟେକ୍ ଇଣ୍ଡଷ୍ଟ୍ରିଜ୍’ ଏବଂ ଚୌଦ୍ୱାର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍‌ରେ ଥିବା ‘ସୋମ୍ୟାଶ୍ରୀ ମେଟାଲ୍ ଆଣ୍ଡ ମେସିନାରିଜ୍’ରେ ଏହି ଅର୍ଥ ବିନିଯୋଗ ହୋଇଥିବା ପୁଲିସ ଜାଣିବାକୁ ପାଇଛି। ଏହି ଦୁଇଟି ଶିଳ୍ପ ସଂସ୍ଥାରେ ଅଭିଯୁକ୍ତା ସୌମ୍ୟା ସୁଭଦର୍ଶିନୀ କଳସ ନିର୍ଦ୍ଦେଶିକା ଥିବା ତଦନ୍ତରୁ ଜଣାପଡ଼ିଛି।

ମାମଲାର ତଦନ୍ତ ସମୟରେ ପୁଲିସ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀଙ୍କ ବୟାନ ବିଏନ୍‌ଏସ୍‌ଏସ୍‌ର ଧାରା ୧୮୦ ଅନୁଯାୟୀ ରେକର୍ଡ କରିବା ସହ ବ୍ୟାଙ୍କ କାରବାର ଓ ବିଭିନ୍ନ ଦସ୍ତାବିଜ୍ ସଂଗ୍ରହ କରିଥିଲା।

**ଚଢ଼ାଉ ବେଳେ କାର୍ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ**

ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟ୍‌ରେ ପୁଲିସ ଚଢ଼ାଉ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଓଡି-୦୨-ବିଭି-୩୪୧୩ ନମ୍ବର ବିଶିଷ୍ଟ ଏକ ମାରୁତି ୱାଗନ୍‌ଆର୍ କାର୍ ଜବତ କରାଯାଇଛି। ଏହା ସହ ମାମଲା ସମ୍ପର୍କିତ ଏମ୍‌ଓୟୁ ଦସ୍ତାବିଜ୍ ଓ ଅଭିଯୋଗକାରୀଙ୍କ ବ୍ୟାଙ୍କ କାରବାର ସମ୍ପର୍କିତ ତଥ୍ୟ ମଧ୍ୟ ପୁଲିସ ଜବତ କରିଛି।

ଆବଶ୍ୟକ ଆଇନଗତ ପ୍ରକ୍ରିୟା ପୂରଣ ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଛି। ଠକେଇ ଅର୍ଥର ସମ୍ପୂର୍ଣ୍ଣ ଆର୍ଥିକ କାରବାର, ଟଙ୍କାର ବିନିଯୋଗ ଏବଂ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେସବୁ ଦିଗକୁ ନେଇ କମିଶନରେଟ୍ ପୁଲିସର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *