କୋଟିଆରେ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ, ସୀମାନ୍ତରେ ଉତ୍ତେଜନା; ୭ ପ୍ଲାଟୁନ୍ ଫୋର୍ସ ମୁତୟନ
କୋରାପୁଟ: ବିବାଦୀୟ କୋଟିଆ ସୀମାନ୍ତରେ ପୁଣି ଦେଖାଦେଇଛି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ତିକ୍ତତା। ଆନ୍ଧ୍ର ପୋଲିସର ଅନୁପ୍ରବେଶ ଉଦ୍ୟମକୁ ଓଡ଼ିଶା ପୋଲିସ ପ୍ରତିରୋଧ କରିବାରୁ ଉଭୟ ରାଜ୍ୟର ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ବଢ଼ିଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଓଡ଼ିଶା ପକ୍ଷରୁ ବ୍ୟାପକ ପୋଲିସ ବଳ ମୁତୟନ କରାଯାଇଛି।
ସୂଚନା ଅନୁସାରେ, କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର କାର୍ଯ୍ୟକଳାପ ଓ ସମ୍ଭାବ୍ୟ ଅନୁପ୍ରବେଶକୁ ରୋକିବା ଲାଗି ଓଡ଼ିଶା ପୋଲିସ ପକ୍ଷରୁ ସୀମାନ୍ତ ଚେକ୍ପୋଷ୍ଟରେ ବ୍ୟାରିକେଡ୍ ଲଗାଯାଇଥିଲା। ତେବେ ଆନ୍ଧ୍ର ପୋଲିସ ଏହି ବ୍ୟାରିକେଡ୍ ହଟାଇବା ସହ ଜୋରଜବରଦସ୍ତି ଆଗକୁ ବଢ଼ିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ବିଶେଷକରି ନେରେଡିବାଲସା ଗ୍ରାମ ନିକଟସ୍ଥ ଚେକ୍ଗେଟ୍ରେ ଉଭୟ ରାଜ୍ୟର ପୋଲିସ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ତୀବ୍ର ଯୁକ୍ତିତର୍କ ସହ ଠେଲାପେଲା ପରିସ୍ଥିତି ଉପୁଜିଥିଲା। ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ବଢ଼ିଯାଇଥିଲା।
ପରିସ୍ଥିତିର ଗମ୍ଭୀରତାକୁ ଦେଖି କୋରାପୁଟ ଉପଜିଲ୍ଲାପାଳ ଓ ପଟ୍ଟାଙ୍ଗୀ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲେ।
ଅନ୍ୟପକ୍ଷରେ, ଆଗକୁ କୌଣସି ଅପ୍ରୀତିକର ଘଟଣା ଏଡ଼ାଇବା ଏବଂ ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
କୋଟିଆକୁ ନେଇ ଦୀର୍ଘଦିନ ଧରି ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଏହି ନୂଆ ଘଟଣା ପୁଣିଥରେ ସୀମାନ୍ତର ସମ୍ବେଦନଶୀଳ ସ୍ଥିତିକୁ ସାମ୍ନାକୁ ଆଣିଛି। ଏବେ ସମସ୍ତଙ୍କ ନଜର ଉଭୟ ରାଜ୍ୟର ପ୍ରଶାସନିକ ପଦକ୍ଷେପ ଓ ଆଗାମୀ ସ୍ଥିତି ଉପରେ ରହିଛି।
